ପୃଥକ୍ ଦୁର୍ଘଟଣାରେ ୨ ମୃତ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାରେ ଆଜି ୨ଟି ପୃଥକ ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଛନ୍ତି। ଦୁର୍ଲଗା ପଞ୍ଚାୟତ ଅଫିସ ନିକଟରେ ଏକ ବାଇକକୁ ଟ୍ରକ୍ ଧକ୍କା ଦେବାରୁ ତାଲପଟିଆ ଗ୍ରାମର ଯୁବକ ଦିନେଶ ଓରାମ (୨୧) ପ୍ରାଣ ହରାଥିବାବେଳେ ବଡମାଲ ନିକଟ ଏକ ହମ୍ପ୍ସରେ ବାଇକରୁ ଖସି ଯୁଗିମାଲର ସରୋଜିନୀ ନାୟକ ପ୍ରାଣ ହରାଇଛନ୍ତି।

ସୂଚନା ଅନୁଯାୟୀ ଦିନେଶ ଆଜି ସକାଳେ ତାଲପଟିଆରୁ ଝାରସୁଗୁଡା ଯାଉଥିବାବେଳେ ଝାରସୁଗୁଡାରୁ ସନ୍ଦରଗଡ ଯାଉଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଅନ୍ୟପଟେ ନିଜ ପୁତୁରା ସହ ସରୋଜିନୀ ବାଇକରେ ଯୁଗିମାଲରୁ ସିହିଂବାହାଲକୁ ଯାଉଥିବାବେଳେ ବଡମାଲ ନିକଟସ୍ଥ ଏକ ହମ୍ପରେ  ଖସି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଛି।