ନଦୀକୁ ହାଇୱା ଖସି ୨ ମୃତ, ଜଣେ ଗୁରୁତର

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ରମ୍ପେଲା ସେତୁରୁ ଇବ ନଦୀକୁ ଏକ ହାଇୱା ଖସି ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣକ ବରକାନିପାଲି ଗ୍ରାମର ଆଶୁତୋସ ଓରଫ ଆଦିତ୍ୟ ସାହୁ(୨୪), ମୃତ ଯୁବକ ଯତିନ ପଧାନ(୨୩) ଏବଂ ପପୁ ଓରଫ ଅରବିନ୍ଦ ସାହୁ(୧୯) ବୋଲି ଜଣାପଡିଛି। ଆଦିତ୍ୟଙ୍କୁ ପ୍ରଥମେ ଟିଆରଏଲ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ମୃତକ ଦ୍ୱୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି।

ସୂଚନା ଅନୁଯାୟୀ, ଆଜି ଅପରାହ୍ଣରେ ହାଇୱାଟି ସମ୍ବଲପୁର ରେଙ୍ଗାଲି ପଟରୁ ବନହରପାଲି ଅଭିମୁଖେ ଆସୁଥିଲା। ତେବେ ରମ୍ପେଲା ସେତୁର ମଧ୍ୟ ଭାଗରେ ଥିବା ମନ୍ଦିର ନିକଟରେ ଗାଡି ଭାରସାମ୍ୟ ହରାଇ ସେତୁର ବାଡ଼ାରେ ପିଟି ହୋଇ ନଦୀକୁ ଖସିପଡ଼ିଥିଲା। ଫଳରେ ହାଇୱା ଓ ୨ ଜଣି ପାଣିରେ ସମ୍ପୁର୍ଣ୍ଣ ବୁଡ଼ି ଯାଇଥିବା ବେଳେ ଆଦିତ୍ୟ ହାଇୱାରୁ ବାହାରି ପାଣିରେ ପହଁରୁଥିଲେ। ଏହା ଦେଖି ସ୍ଥାନୀୟ ମତ୍ସ୍ୟଜୀବୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ଖବରପାଇ ବନହରପାଲି ପୁଲିସ ଓ କୁମ୍ଭାରବନ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସହ ଆଦିତ୍ୟଙ୍କୁ ପ୍ରଥମେ ଟିଆରଏଲ ଡାକ୍ତରଖାନା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏବଂ ଅନ୍ୟ ୨ ଯୁବକଙ୍କୁ ଜିଲ୍ଲା ଓଡ୍ରାଫ ଟିମ ଓ ଅଗ୍ନୀଶମ ବିଭାଗର କର୍ମଚାରୀଙ୍କ ସହୟତାରେ ସନ୍ଧାନ କରିବା ଆରମ୍ଭ କରିଥିଲେ।

ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ପ୍ରଥମେ ଅରବିନ୍ଦଙ୍କୁ ଓ ପରେ ଯତିନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ମୃତ ଯୁବକଙ୍କୁ କ୍ଷତିପୂରଣ ଦାବିନେଇ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିବାବେଳେ ଲଖନପୁର ତହସିଲଦାର ବିଶ୍ୱକେସନ ପାଣ୍ଡେ, ଏସଡିପିଓ ଦିଲ୍ଲୀପ ଦାସ ପ୍ରମୁଖ ଲୋକଙ୍କୁ ବୁଝାଇ ସରକାରୀ ନୀୟମ ମୁତାବକ ସମସ୍ତ ରିପୋର୍ଟ ପ୍ରଦାନ କରାଯାଇ ମୃତକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବାର ପ୍ରତିଶ୍ରୁତି ଦେବା ପରେ ଲୋକେ ଶାନ୍ତ ହୋଇଥିଲେ।