୨ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ମାଡ ଅଭିଯୋଗ

ବାରିପଦା,ଏନ୍ଏନ୍ଏସ୍: କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ଵର ଟୁଡ଼ୁଙ୍କ ନାମରେ ସାଙ୍ଘାତିକ ଅଭିଯୋଗ। ୨ ସରକାରୀ ଅଧିକାରୀଙ୍କୁ ମନ୍ତ୍ରୀ ମାଡ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ଆସିଛି ମନ୍ତ୍ରୀଙ୍କ ନାମରେ। ୨ ଆହତ ଅଧିକାରୀ ଡାକ୍ତରଖାନାରେ ଭର୍ତ୍ତି।

ମୟୂରଭଞ୍ଜ ଜିଲ୍ଲା ଯୋଜନା କାର୍ଯୟାଳୟର ଉପନିର୍ଦ୍ଦେଶକ ଓ ସହକାରୀ ନିର୍ଦ୍ଦେଶକଙ୍କୁ ମାଡ ମାରି ଲହୁ ଲୁହାଣ କରିଥିବା କୁହାଯାଉଛି। ଉପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର ଗୁରୁତର ଅବସ୍ଥାରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୂ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଦେବାଶିଷ ମହାପାତ୍ରଙ୍କ ବାମ ହାତ ଭାଙ୍ଗି ଯାଇ ଥିବାବେଳେ ଅଶ୍ଵିନୀ କୁମାର ମଲ୍ଲିକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଅଧିକାରୀଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ନିଜ କାର୍ଯୟାଳୟକୁ ଡାକି ଲୁହା ଛଡରେ ମାଡ ମାରିଛନ୍ତି। ଜିଲ୍ଲା ଯୋଜନା କାର୍ଯ୍ୟାଳୟର ଦୁଇ ଅଧିକାରୀଙ୍କୁ କଗଜପତ୍ର ନେଇ ଏକ ଘୋରୋଇ ମଣ୍ଡପକୁ ଡାକିଥିଲେ କେନ୍ଦ୍ରମନ୍ତ୍ରୀ। ମାତ୍ର ଅଧିକାରୀ ଦ୍ଵୟ ଘରୋଇ ମଣ୍ଡପକୁ ସରକାରୀ କାଗଜପତ୍ର ନେଇ ଯିବାକୁ ମନା କରିଥିଲେ। ପରବର୍ତ୍ତୀ ସମୟରେ ଆଜି(ଶୁକ୍ରବାର) ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ବାରିପଦା ତକତପୁର କାର୍ଯ୍ୟାଳୟକୁ ଦୁଇ ଅଧିକାରୀଙ୍କୁ ଡାକିଥିଲେ।

ଅଧିକାରୀ ଦ୍ଵୟ ପହଞ୍ଚିବା ପରେ କେନ୍ଦ୍ର ମନ୍ତ୍ରୀ ସେମାନଙ୍କୁ କାର୍ଯ୍ୟ ଠିକ ଭାବେ କରୁନଥିବା କହି ଗାଳି ଗୁଲଜ କରିବା ସହ ଲୁହା ଛଡ ଏବଂ ଚେୟାର ଫିଙ୍ଗି ବାଡେଇଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ସହ ଦଳୀୟ କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ। ଗୁରୁତର ଆହତ ହୋଇ ସେଠାରୁ ଦୁଇ ଅଧିକାରୀ ଆସି ମେଡିକାଲରେ ପହଞ୍ଚିଥିଲେ। ଘଟଣାକୁ ନେଇ ତୁରନ୍ତ ଥାନାରେ ଲିଖିତ ଅଭିଯୋଗ କରାଯିବ ବୋଲି କହିଛନ୍ତି ଦୁଇ ଅଧିକାରୀ।

ଅନ୍ୟପଟେ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ। ନିର୍ବାଚନ ଥିବାରୁ ବଦନାମ୍ କରାଯାଉଥିବା କହିଛନ୍ତି। ୨ ଅଧିକାରୀ ରିଭ୍ୟୁ ପାଇଁ ଆସିଥିଲେ, ବ୍ୟସ୍ତ ଥିବା କହିବା ପରେ ଫେରି ଯାଇଥିଲେ। ସେପଟେ ପୂର୍ବରୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ରହିଛି। ଯାହାକୁ ନେଇ ଓଏଏସ୍ ସଙ୍ଘ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲା।