ଦୁଇ ହାଇୱା ଲୁଟେରା ଗିରଫ, ଜଣେ ଫେରାର

ସଇଁନ୍ତଳା,ଏନ୍ଏନ୍ଏସ୍: ହାଇୱା ଡକାୟତିରେ ବଲାଙ୍ଗିର ଟାଉନ ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ମଧ୍ୟରୁ ଜଣେ ଶୁଭମ ପରମଗୁରୁ ନାବାଳକ ହୋଇଥିବା ବେଳେ ଅନ୍ୟ ଜଣକ ହାତିପଡାର ସଞ୍ଜୟ କୁମ୍ଭାର (୨୧) ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ଉକ୍ତ ଲୁଟରେ ବ୍ୟବହୃତ ଷ୍ଟିଲ ଛୁରି ସହିତ ୧୦୦୦ ଟଙ୍କା ଜବତ କରିଛି।

ସୂଚନା ଅନୁସାରେ, ଶୁକ୍ରବାର ଦିନ ଭୋରରୁ ଏକ ହାଇୱା ଟ୍ରକ (ଓଡି-୦୩ପି-୫୧୯୬) ମନୋହରପୁରରୁ ସହର ଭିତରକୁ ଆସୁଥିଲା। ଏହି ସମୟରେ ବାଇକରେ ହଠାତ ୩ ଜଣ ଆସି ଟ୍ରକକୁ ଅଟକାଇ ଡ୍ରାଇଭରକୁ ବାହରକୁ ଟାଣି ଆଣିଥିଲେ। ଛୁରି ଦେଖାଇ ଟ୍ରକ ଡ୍ରାଇଭରକୁ ମାଡ ମାରିବା ସହ ତାଙ୍କ ନିକଟରୁ ୧୦୦୦ ଟ‌ଙ୍କା ଲୁଟି ନେଇଥିଲେ। ଟ୍ରକ ଡ୍ରାଇଭରଙ୍କ ଡାକରା ଶୁଣି ସ୍ଥାନୀୟ ଲୋକେ ଜମାହୋଇ ଦୁଇ ଦୁର୍ବୃତ୍ତଙ୍କୁ କାବୁ କରି ପୁଲିସକୁ ଜିମା ଦେଇଥିଲେ। ଅନ୍ୟ ଜଣେ ଫେରାର ହୋଇଯାଇଥିଲା। ପରେ ଟ୍ରକ ଡ୍ରାଇଭର ଅକ୍ଷୟ କୁମାର ରାଉତ ଥାନାକୁ ଯାଇ ଲିଖିତ ଏତଲା ଦେଇଥିଲେ। ତାଙ୍କର ଅଭିଯୋଗ କ୍ରମେ, ଟାଉନ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ସବ ଇନ୍ସପେକ୍ଟର ପୁର୍ଣ୍ଣମୀ ଓରାମ ସୂଚନା ଦେଇଛନ୍ତି।