ଅଜଣା ଗାଡି ଧକ୍କାରେ ଚାଲିଗଲେ ୨ ବନ୍ଧୁ

ଫିରିଙ୍ଗିଆ,ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି। ଏକ ଅଜଣା ଗାଡ଼ି ଧକ୍କାରେ ୨ ବନ୍ଧୁଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଫିରିଙ୍ଗିଆ ପଟୁ ବାଲିଗୁଡା ଯାଉଥିବା ଏକ ଧଳାରଙ୍ଗର ଏକ କାର ବାଲିଗୁଡା ପଟୁ ଫିରିଙ୍ଗିଆକୁ ଆସୁଥିବା ଏହି ବାଇକକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଫଳରେ ଘଟଣାସ୍ଥଳରେ ହିଁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ। ଖବର ଫିରିଙ୍ଗିଆ ଟିମ ହ୍ୟୁମାନିଟି କନ୍ଧମାଳର ସଦସ୍ୟ ସଞ୍ଜୟ କୁମାର ଦିଗାଳ ଏବଂ ଅଜିତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିବାସହିତ ଏ ସମ୍ପର୍କରେ ଦମକଳ ବାହୀନି ଓ ପୁଲିସକୁ ଖବର ଦେଇଥିଲେ। ଦମକଳ ବାହୀନି ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଓ ମୃତ ବ୍ୟକ୍ତିଙ୍କୁ ଫିରିଙ୍ଗିଆ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଯୁବକ ହେଲେ ଖଜୁରିପଡା ବ୍ଲକ ଟିଟ୍ରାପଙ୍ଗା ପଞ୍ଚାୟତ ଗୁଣ୍ଡିବାଡି ଗ୍ରାମର କ୍ଷେତ୍ରବାସୀ ଦିଗାଳ ଏବଂ ଗୁରୁତଆହତ ହୋଇଥିବା ବ୍ୟକ୍ତି ଜଣକ ଦଳପଡା ପଞ୍ଚାୟତ ହରିଜନ ସାହିର ମଧୁସୁଦନ ବେହେରା ବୋଲି ଜଣାପଡିଛି।