କନ୍ଧମାଳରେ ୨ ନକଲି ପୁଲିସ ଗିରଫ୍, ୩ ଫେରାର୍

ଫୁଲବାଣୀ,ବାଲିଗୁଡା,ଏନ୍ଏନ୍ଏସ୍: ଅସଲି ପୁଲିସ ହାତରେ ଧରାପଡ଼ିଛନ୍ତି ୨ ନକଲି ପୁଲିସ। ଅନ୍ୟ ୩ ଜଣ ଫେରାର ହୋଇଯାଇଛନ୍ତି। ଏହି ଘଟଣାଟି ସମଗ୍ର କନ୍ଧମାଳ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ଘଟିଛି ବାଲିଗୁଡ଼ା ଥାନା ଅଞ୍ଚଳରେ। ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତ୍ରିରେ ବାଲିଗୁଡ଼ା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ସିନ୍ଦିରିଗାଁ ନିକଟସ୍ଥ ଖଡ଼ଗନଦୀ ଶଙ୍ଖ ନିକଟରେ କିଛି ସନ୍ଦିଗ୍ଧ ବ୍ୟକ୍ତି ବସିଥିବା ଦେଖିଥିଲା। ପୁଲିସ ଅତର୍କିତ ଭାବେ ଚଢ଼ଉ କରି ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ଅନ୍ୟ ୩ ଜଣ ଫେରାର ହୋଇଯାଇଥିଲେ।

ଧରାପଡ଼ିଥିବା ଦୁର୍ବୃତ୍ତମାନେ ପୁଲିସ ପୋଷାକ ପିନ୍ଧିଥିଲେ। ପୁଲିସ ସେମାନଙ୍କୁ ପଚରାଉଚରା କରିବା ପରେ ସେମାନେ ଡ଼କାୟତି ପାଇଁ ଆସିଥିବା ଜଣାପଡ଼ିଥିଲା। ଉକ୍ତ ରାସ୍ତାରେ ରାତ୍ରି ସମୟରେ ବହୁ ସଂଖ୍ୟାରେ ଯାନବାହନ ଚଳାଚଳ କରିଥାଏ। ସେହି ଗାଡ଼ିକୁ ଅଟକାଇ ନକଲି ପୁଲିସ ଭେସରେ ଭୟଭୀତ କରିବା ସହିତ ଲୁଟ୍ କରିବାର ଯୋଜନା କରିଥିବା ଜଣାପଡ଼ିଛି।

ଏଥିସହିତ ପୁଲିସ ଘଟଣାସ୍ଥଳରୁ ଏକ ମାରୁତି ଡ଼ିଜାୟର କାର, ପୁଲିସ ଲାଠି, ଲୁହାରଡ଼୍ ଭଳି ମାରଣାସ୍ତ୍ର, ପୁଲିସ ପୋଷାକ ଓ ଖେଳଣା ବନ୍ଧୁକ ସହିତ ଅନ୍ୟ କେତେକ ଜିନିଷ ଜବତ କରିଛି। ଏ ସମ୍ପର୍କରେ ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି। ଗିରଫ ୨ ଜଣ କଟକ ଜିଲ୍ଲା ଚଣ୍ଡିଛକ ଓ କନିକା ଛକ ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେହିପରି ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର କେଉଁ ବ୍ୟକ୍ତି ସଂପୃକ୍ତ ଅଛନ୍ତି ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ।