ବାରିପଦା,ଏନ୍ଏନ୍ଏସ୍: ଶିମିଳିପାଳ ଜୈବ ମଣ୍ଡଳ ପ୍ରକୃତି ରାଣୀର ବରଦାନ ହୋଇଥିବା ବେଳେ ମୟୂରଭଞ୍ଜ ଏହାର ହୃଦୟ ଓ ଏହା ମୟୂରଭଞ୍ଜ ବାସୀଙ୍କ ପରିଚୟ। ଆଜି ଏହା ଉପରକୁ ମହାବିପତ୍ତି ମାଡ଼ି ଆସିଛି। ଅଭୟାରଣ୍ୟରେ ଲାଗିଥିବା ନିଆଁ କେବଳ ଗଛପତ୍ରକୁ ଜାଳି ପୋଡ଼ି ଦେଉ ନାହିଁ। ଏହି ଜଙ୍ଗଲ କୋଳରେ ଆଶ୍ରୟ ନେଇଥିବା ବନ୍ୟ ଜୀବଜନ୍ତୁଙ୍କ ଜୀବନ ମଧ୍ୟ ନେଉଛି।
ଏହି ପ୍ରକୃତିର ବରଦାନ ଶିମିଳିପାଳ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଓ ଏଠାରେ ରହୁଥିବା ବନ୍ୟଜନ୍ତୁଙ୍କ ସୁରକ୍ଷା ନିମନ୍ତେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ୧୦୦୧ ଦୀପଦାନ କରାଯାଇଛି। ଆଜି ସନ୍ଧ୍ୟା ସମୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଠାରେ ଓଡ଼ିଶା ସେବାୟତ ସଂଘର ସଭାପତି କାମେଶ୍ୱର ତ୍ରିପାଠୀଙ୍କ ନେତୃତ୍ୱରେ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କ ସେବାୟତମାନେ ୧୦୦୧ ଦୀପଦାନ କରିଛନ୍ତି।