ଥିରୁଅନନ୍ତପୁରମ୍,ଏଜେନ୍ସି: କେରଳରେ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ସୁନା ଚୋରା ଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ୱପ୍ରା ସୁରେଶ କଷ୍ଟମ ବିଭାଗର ପଚରାଉଚୁରାରେ ଅନେକ ବଡ଼ ଖୁଲାସା କରିଛନ୍ତି ଯେଉଁଥିରେ ସେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ ତିନିଜଣ କ୍ୟାବିନେଟ ମନ୍ତ୍ରୀଙ୍କ ନାମ ରଖିଛନ୍ତି। ଏହି ମାମଲାରେ କେରଳ ସିଏମ ପିନାରାଇ ବିଜୟନ ଗଣମାଧ୍ୟମ ଆଗରେ ନିଜର ବିବୃତ୍ତି ରଖିଛନ୍ତି।
ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି ଯେ କେରଳର ଏଲଡିଏଫ୍ ସରକାରକୁ ବଦନାମ କରିବା ପାଇଁ ସ୍ପିକର୍ ଓ ମନ୍ତ୍ରୀମାନଙ୍କ ଉପରେ ଅଭିଯୋଗ ହୋଇଛି। ଏଥି ସହ ସେ କହିଛନ୍ତି ଯେ ବିଧାନସଭା ନିର୍ବାଚନ ଘୋଷଣା ପରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଆକ୍ରମଣ ଜୋର ଧରିଛି। କେଆଇଆଇଏଫବିକୁ ଧ୍ୱଂସ କରିବାକୁ କଂଗ୍ରେସ ଏବଂ ବିଜେପିର ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି।
ସୂଚନା ଅନୁସାରେ ଗତ ବର୍ଷ ଜୁଲାଇରେ କେରଳର ତ୍ରିଭାନ୍ଦ୍ରମ ବିମାନବନ୍ଦରରେ କୂଟନୀତିଜ୍ଞଙ୍କ ଲଗେଜରୁ ପ୍ରାୟ ୧୩ କୋଟି ମୂଲ୍ୟର(୩୦ କିଲୋଗ୍ରାମ) ସୁନା ଜବତ କରାଯାଇଥିଲା। ତଦନ୍ତ ପରେ ଏହି ସୁନାକୁ ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା। ପରେ ୧୧ ଜୁଲାଇରେ ଚୋରା କାରବାରର ମୁଖ୍ୟ ଅଭିଯୁକ୍ତ ସ୍ୱପ୍ରାଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ନିଜେ ଆୟକର ବିଭାଗରେ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ।