ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ଦୁଇ ଶିଶୁ ଉଦ୍ଧାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ସକାଳୁ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଡରୁ ୨ ଜଣ ଶିଶୁଙ୍କୁ ଭରତପୁର ପୁଲିସ ଉଦ୍ଧାର କରିଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ଏହି ଦୁଇ ଭାଇଭଉଣୀ ନିଜ ବାପାଙ୍କ ସହ ଭୁବନେଶ୍ୱରରେ ରହୁଥିବା ତାଙ୍କ ବଡ଼ ମା’ଙ୍କ ଘରକୁ ଆସୁଥିଲେ। ମାତ୍ର ରାତିରେ ବରମୁଣ୍ଡାରେ ପହଞ୍ଚି ତାଙ୍କ ବାପା ସେମାନଙ୍କୁ ସେଠାରେ ଛାଡିଦେଇ କେଉଁଆଡ଼େ ଚାଲିଯାଇ ଆଉ ନଫେରିବାରୁ ଶିଶୁ ଦୁଇଟି ରାତି ସାରା ବସ ଷ୍ଟାଣ୍ଡରେ ଅସହାୟ ଅବସ୍ଥାରେ ବସି କାନ୍ଦୁଥିଲେ।

ସକାଳୁ କେତେକ ସ୍ଥାନୀୟ ଲୋକ ଶିଶୁ ଦୁଇ ଜଣଙ୍କୁ କାନ୍ଦୁଥିବା ଦେଖି ତାଙ୍କ ସମ୍ପର୍କରେ ପଚାରିଥିଲେ। ଘଟଣା ସମ୍ପର୍କରେ ଜାଣି ସ୍ଥାନୀୟ ଭରତପୁର ପୁଲିସକୁ ଖବର ଦେଇଥିଲେ। ଖବରପାଇ ପୁଲିସ ପହଞ୍ଚି ଦୁଇ ଶିଶୁଙ୍କୁ ସାଙ୍ଗରେ ଆଣି କୋର୍ଟରେ ହାଜର କରି ସ୍ଥାନୀୟ ବିଶ୍ୱ ଜୀବନ ସେବା କେନ୍ଦ୍ର ହେପାଜତରେ ଛାଡ଼ି ତଦନ୍ତ ଆରମ୍ଭ କରିଛନ୍ତି। ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରୁ ଝିଅଟି ୮ବର୍ଷ ହୋଇଥିବା ବେଳେ ପୁଅଟିର ବୟସ ୫ବର୍ଷ ବୋଲି ଜଣାପଡ଼ିଛି।