ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ବାଇପାସ ନିକଟସ୍ଥ ସଞ୍ଜିିବନୀ ହସ୍ପିଟାଲ ନିକଟରେ ବୁଧବାର ରାତିରେ ଅଜଣା ଟ୍ରକ ଧକ୍କାରେ ଦୁଇ ଭାଇ ପ୍ରାଣ ହରାଇଛନ୍ତି। ମୃତକ ଦ୍ୱୟ ସମ୍ବଲପୁର ଦିପୁପଡାର ଯଶୋବନ୍ତ ଓରାମ(୧୯) ଓ ଶନିଶ୍ଚର ଓରାମ(୧୪) ବୋଲି ସଦର ଥାନା ଅଧିକାରୀ ସୁଚିସ୍ମିତା ମହାନ୍ତି ସୂଚାନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଯଶୋବନ୍ତ ଓ ଶନିଶ୍ଚର ଝାରସୁଗୁଡ଼ା ଓରାମପଡାସ୍ଥିତ ମାମୁଁ ଘରକୁ ଆସିଥିଲେ। ସେମାନେ ବୁଧବାର ରାତିରେ ଝାରସୁଗୁଡ଼ା ପଟୁ ସମ୍ବଲପୁରକୁ ଫେରୁଥିବାବେଳେ ରାତି ପ୍ରାୟ ୧୦ଟାରେ ଝାରସୁଗୁଡ଼ାରୁ ସମ୍ବଲପୁର ଯାଉଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେବାସହ ତାଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଖବରପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଶିନିଶ୍ଚର ଓ ଯଶୋବନ୍ତଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।
ଶବ ବ୍ୟବଚ୍ଛେଦ ପରେ ପୁଲିସ ଉଭୟଙ୍କ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଏହାସହ ଏନେଇ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଧରିବା ପାଇଁ ଆଖପାଖର ସିସି ଟିଭି ଫୁଟେଜ ଯାଞ୍ଚ କରାଯାଉଛି ବୋଲି ସଦର ଥାନା ଅଧିକାରୀ ସୁଚିସ୍ମିତା ମହାନ୍ତି ସୂଚନା ଦେଇଛନ୍ତି।