ଲୋକମାନଙ୍କୁ ଜରୁରୀ ସେବା ଯୋଗାଇବା ପାଇଁ ରାତ୍ରିରେ ଚାଲିବ ୨୨ଟି ଅଟୋ: ବିଇଏମସି

ବ୍ରହ୍ମପୁର,ଏନ୍ଏନ୍ଏସ୍: ଗଞ୍ଜାମରେ କରୋନା ସ୍ଥିତି ସଙ୍ଗିନ ହେଉଛି। ଜିଲ୍ଲାରେ ଦୈନିକ ଦୁଇ ଶହରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏନେଇ ରାଜ୍ୟ ସରକାର ସମ୍ପୃକ୍ତ ଜିଲ୍ଲା ସମେତ ଅନ୍ୟ ୪ ଜିଲ୍ଲାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ କରିଛନ୍ତି। ତେବେ ଲକଡାଉନ ସମୟରେ ଲୋକମାନଙ୍କୁ ଜରୁରୀକାଳୀନ ସେବା ଯୋଗାଇଦେବା ପାଇଁ ବ୍ରହ୍ମପୁର ସହରରେ ରାତ୍ରିରେ ମଧ୍ୟ ଅଟୋ ଚାଲିବ। ଏନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଘୋଷଣା କରାଯାଇଛି।

ଲୋକଙ୍କୁ ଜରୁରୀ ସେବା ଯୋଗାଇବା ପାଇଁ ରାତ୍ରିରେ ସହର ଭିତରେ ୨୨ଟି ଅଟୋ ଚାଲିବ। ସେହିପରି ରାତ୍ରି ସମୟରେ ଅଟୋଭଡା କିଲୋମିଟର ପିଛା ୧୦ ଟଙ୍କା ରହିବ ବୋଲି ବିଇଏମସି ପକ୍ଷରୁ ଧାର୍ଯ୍ୟ କରାଯାଇଛି। ଏହାସହିତ ଲୋକଙ୍କ ସୁବିଧା ନିମନ୍ତେ ସମ୍ପୃକ୍ତ ଅଟୋ ନମ୍ବର ଏବଂ ଡ୍ରାଇଭରଙ୍କ ଫୋନ ନମ୍ବର ବିଇଏମସି ପକ୍ଷରୁ ଟ୍ୱିଟ କରି ଜଣାଇ ଦିଆଯାଇଛି। ତେବେ ଏହି ସମୟରେ ଅଟୋ ଚାଳକମାନେ ମାସ୍କ ପିନ୍ଧିବା ସହ ଅଟୋରେ ଲିମିଟେଡ ଯାତ୍ରୀ ନେବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।