୨୪ ପର୍ଯ୍ୟନ୍ତ ପାଇଲଟଙ୍କ ଗୋଷ୍ଠୀକୁ ଆଶ୍ୱସ୍ତି

ଜୟପୁର,ଏଜେନ୍ସି : ରାଜସ୍ଥାନ ବିଧାନସଭାର ବାଚସ୍ପତି ସିପି ଯୋଶୀଙ୍କ ନୋଟିସ୍ ବିରୋଧରେ ବିଦ୍ରୋହୀ କଂଗ୍ରେସ ନେତା ସଚିନ ପାଇଲଟ ଓ ତାଙ୍କ ୧୮ ସମର୍ଥକଙ୍କ ପିଟିସନ୍ ଉପରେ ମଙ୍ଗଳବାର ରାଜସ୍ଥାନ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ତେବେ ଆଗାମୀ ଶୁଣାଣି ୨୪ ତାରିଖରେ ହେବାକୁ ଥିବାରୁ ପାଇଲଟ ଗୋଷ୍ଠୀଙ୍କୁ ଏକ ପ୍ରକାର ଆଶ୍ୱସ୍ତି ମିଳିଛି। ସେ ପର୍ଯ୍ୟନ୍ତ ଏହି ୧୯ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବାଚସ୍ପତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

ମଙ୍ଗଳବାର ପାଇଲଟ‌ଙ୍କ ଗୋଷ୍ଠୀ ତରଫରୁ ଆଇନଜୀବୀ ମୁକୁଲ ରୋହତଗୀ ହାଇକୋର୍ଟଙ୍କୁ ଜଣାଇଥିଲେ ଯେ ବାଚସ୍ପତି ଯୋଶୀ ବିଧାୟକମାନଙ୍କୁ ୭ ଦିନ ମହଲତ ଦେବା କଥା। କିନ୍ତୁ ବାଚସ୍ପତି ବିଧାୟକମାନଙ୍କୁ ମାତ୍ର ୩ ଦିନ ସମୟ ଦେଇଛନ୍ତି। ବିଧାୟକମାନଙ୍କ ଦଳବଦଳକୁ ଅଟକାଇବା ପାଇଁ ସରକାର ଆଇନ ଲାଗୁ କରିଛନ୍ତି। ମାତ୍ର ବାଚସ୍ପତି ଏତେ ଜଲଦି କୈଫିୟତ ଲୋଡ଼ିବାର କାରଣ କ’ଣ? ଏହାର କାରଣ ଜାଣିବାର ଅଧିକାର ହାଇକୋର୍ଟଙ୍କର ଅଛି। ହାଇକୋର୍ଟଙ୍କ କ୍ଷମତାରେ କେହି ହସ୍ତକ୍ଷେପ କରିପାରିବେ ନାହିଁ। ସବୁ ମାମଲାର ପୃଷ୍ଠଭୂମିକୁ ଗୋଟିଏ ପ୍ରକାର ଧରିନେଇ କୋର୍ଟଙ୍କ ପୂର୍ବ ରାୟକୁ ପ୍ରାଧାନ୍ୟ ଦେବା ଜରୁରୀ ନୁହେଁ। ବାଚସ୍ପତିଙ୍କ ଅଫିସରୁ ବିଧାୟକଙ୍କ ନିକଟକୁ ପଠାଯାଇଥିବା ନୋଟିସରେ କେବଳ ଅଭିଯୋଗକାରୀଙ୍କ ଅଭିଯୋଗ ବିଷୟରେ ଉଲ୍ଲେଖ କରାଯାଇଥିଲା।

ରୋହତଗୀ ପୁଣି କହିଥିଲେ ଯେ ବିଏସ୍ପି ବିଧାୟକଙ୍କୁ କଂଗ୍ରେସରେ ସାମିଲ କରାଯିବା ମାମଲାରେ ବାଚସ୍ପତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଏବେ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରୁଛନ୍ତି କାହିଁକି ବୋଲି ରୋହତଗୀ ପ୍ରଶ୍ନ ଉଠାଇଥିଲେ। ଗତ ସୋମବାର ବାଚସ୍ପତିଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭୀ ହାଇକୋର୍ଟଙ୍କୁ ସ୍ପଷ୍ଟ ଜଣାଇ ଦେଇଥିଲେ ଯେ ବାଚସ୍ପତି କୌଣସି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିନାହାନ୍ତି। କେବଳ ମାତ୍ର କଂଗ୍ରେସ ଦଳର ମୁଖ୍ୟ ସଚେତକଙ୍କ ହ୍ୱିପ୍ ଉପରେ ସେ କୈଫିୟତ ତଲବ କରିଛନ୍ତି। ତେବେ ଗତକାଲି ହାଇକୋର୍ଟରେ ଶାଶକ ଦଳ ବା ବାଚସ୍ପତିଙ୍କ ତରଫରୁ କୌଣସି ଓକିଲ ଯୁକ୍ତି ବାଢିନଥିଲେ।