ନୂଆଦିଲ୍ଲୀ,ଏଜେନ୍ସି: ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୪ ସଦସ୍ୟ ଆଜି ଦିଲ୍ଲୀରେ ଶପଥ ଗ୍ରହଣ କରିବେ। ଏଥିରେ ସୁବାସ ସିଂ, ମୁନ୍ନା ଖାଁ, ମମତା ମହନ୍ତ ଏବଂ ସୁଜିତ କୁମାର ରାଜ୍ୟସଭା ସଭ୍ୟ ଭାବେ ଶପଥ ନେବେ। ମାର୍ଚ୍ଚ ୨୬ରେ ଅନୁଷ୍ଠିତ ନିର୍ବାଚନରେ ଏହି ୪ ସଦସ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ମାତ୍ର କରୋନା କଟକଣା ଯୋଗୁଁ ସଦସ୍ୟମାନେ ଦିଲ୍ଲୀ ଯାଇପାରିନଥିଲେ। ସେହିପରି କରୋନା ଯୋଗୁଁ ସଂସଦରେ ଅଧିବେଶନ ଚାଲୁ ନଥିବାରୁ ରାଜ୍ୟସଭା ହାଉସ ଅଫ ଚାମ୍ବରରେ ଏହି ସଭ୍ୟମାନେ ଶପଥ ପାଠ କରିବେ ବୋଲି ଜଣାପଡ଼ିଛି।
ଓଡ଼ିଶାର ୪ ସଦସ୍ୟଙ୍କ ସମେତ ଆଜି ପ୍ରାୟ ୪୩ ଜଣ ସଦସ୍ୟ ଶପଥ ଗ୍ରହଣ କରିବେ। ଏମାନଙ୍କ ମଧ୍ୟରେ ବିଜେପିର ୧୮ ଜଣ କଂଗ୍ରେସର ୧୦ ଜଣ, ୱାଇଏସଆର କଂଗ୍ରେସର ୪ ଜଣ ଅଛନ୍ତି। ସେହିପରି ତୃଣମୂଳ କଂଗ୍ରେସ ଏବଂ ଡିଏମକେ ସାଂସଦ କରୋନା ସଂକ୍ରମିତ ହୋଇଥିବାରୁ ସେମାନେ ନିଜକୁ ଏଥିରୁ ଦୂରେଇ ରଖିଥିବା ଜଣାପଡ଼ିଛି।