ୱାଶିଂଟନ୍,ଏଜେନ୍ସି: ଆସନ୍ତା ନଭେମ୍ବର ୩ ତାରିଖରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ରିପବ୍ଲିକାନ୍ ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କ ମଧ୍ୟରେ ପ୍ରଚାର କ୍ଷେତ୍ରରେ କଡା ଟକ୍କର ଚାଲିଛି। ତେବେ ଜନମତ ସର୍ଭେ ଅନୁଯାୟୀ ବିଡେନ୍ ଟ୍ରମ୍ପଙ୍କ ଠାରୁ ଅଳ୍ପ ଆଗରେ ରହିଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ବିଡେନଙ୍କୁ ୩ଟି ରାଜ୍ୟ ମିିଚିଗାନ୍, ପେନସିଲଭାନିଆ ଓ ୱିସକନସିନରେ ଟ୍ରମ୍ଫଙ୍କ ଅପେକ୍ଷା ଅଧିକ ଜନସମର୍ଥନ ମିଳୁଛି। ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ଏହି ୩ ରାଜ୍ୟରେ ଟ୍ରମ୍ପ ବିଜୟୀ ହୋଇଥିଲେ।
ଜନମତ ସର୍ଭେରେ ବିଡେନ୍ ଆଗୁଆ ରହିଥିଲେ ମଧ୍ୟ ଟ୍ରମ୍ପ ତାଙ୍କୁ ଟପିଯିବାର ସମ୍ଭାବନାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ରାଜନୈତିକ ବିଶେଷଜ୍ଞମାନଙ୍କ ମତରେ କେତେକ ବିଶେଷ ଲୁକ୍କାୟିତ କାରଣରୁ ଟ୍ରମ୍ପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବିଜୟଲାଭ କରିପାରନ୍ତି। ସେମାନଙ୍କ ମତରେ କେତେକ ପ୍ରମୁଖ ରାଜ୍ୟରେ ଡେମୋକ୍ରାଟିକ୍ ଭଲ୍ୟୁଣ୍ଟିୟରମାନେ ମୁଖ୍ୟତଃ ନିଷ୍କ୍ରିୟ ଥିଲା ବେଳେ ରିପବ୍ଲିକାନ୍ ସମର୍ଥକମାନେ ସକ୍ରିୟ ଅଛନ୍ତି। ମତଦାନ ଉପରେ ଏହାର ପ୍ରଭାବ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି। ଡେମୋକ୍ରାଟମାନେ ଆଶଙ୍କା ପ୍ରକାଶ କରୁଛନ୍ତି ଯେ ଟ୍ରମ୍ପଙ୍କ ସମର୍ଥକ ଗୋଷ୍ଠୀ ଡେମୋକ୍ରାଟ୍ ସମର୍ଥକଙ୍କୁ ଭୋଟଗ୍ରହଣ ଦିନ ମତଦାନ କରିବାରେ ବାଧା ଦେଇପାରନ୍ତି। ଅବଶ୍ୟ ଯେଉଁମାନେ ଆଗୁଆ ମତଦାନ କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଡେନଙ୍କୁ ସମର୍ଥନ କରିଛନ୍ତି।