ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଦିନିକିଆ ଓ ସୀମିତ ଓଭର୍ ଟିମରେ ନିୟମିତ ସଦସ୍ୟ ରହିଥିଲେ ହେଁ ଓପନର ଶିଖର ଧୱନ୍ ଟେଷ୍ଟ୍ କ୍ରିକେଟ୍ରେ ସ୍ଥାନ ପକ୍କା କରିପାରିନାହାନ୍ତି। ଏହି ଫର୍ମାଟରେ ରେକର୍ଡ ଶତକୀୟ ଇନିଂସ ସହ ଧୱନ୍ ନିଜର ଅନ୍ତର୍ଜାତୀୟ କ୍ୟାରିୟର୍ ଆରମ୍ଭ କରିଥିଲେ। କିନ୍ତୁ ଗତ ୨୦୧୮ ଇଂଲଣ୍ଡ ଗସ୍ତ ପରେ ଧୱନ୍ ଟେଷ୍ଟ୍ ଟିମକୁ ଫେରିପାରିନାହାନ୍ତି। ଏହି ଫର୍ମାଟରେ ଧୱନଙ୍କୁ ଆଉ ଆଗକୁ ସୁଯୋଗ ମିଳିବ ନାହିଁ ଓ ବସ୍ତୁତଃ ଏହି ଫର୍ମାଟରେ ତାଙ୍କର କ୍ୟାରିୟର୍ ଶେଷ ହୋଇଛି ବୋଲି ମତ ଦେଇଛନ୍ତି ପୂର୍ବତନ ଓପନର ଆକାଶ ଚୋପ୍ରା। ଟିମ୍ ଇଣ୍ଡିଆର ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଖେଳାଳି ଚୟନ ସଂକ୍ରାନ୍ତ ଏକ ପ୍ରଶ୍ନରେ ଧୱନ୍ ୪ ଜଣ ପ୍ରମୁଖ ଓପନରଙ୍କ ସୂଚୀରେ ନାହାନ୍ତି ବୋଲି ଆକାଶ କହିଛନ୍ତି। ଆକାଶ ରୋହିତ ଶର୍ମା, ମୟଙ୍କ ଅଗରୱାଲ୍, ପୃଥ୍ୱୀ ଶ’ ଓ ଲୋକେଶ ରାହୁଲଙ୍କୁ ଓପନର ଭାବେ ପସନ୍ଦ କରିଥିବା ବେଳେ ନିକଟ ଭବିଷ୍ୟତରେ ଧୱନ୍ ଟେଷ୍ଟ୍ କ୍ରିକେଟକୁ ଫେରିବାର ସମ୍ଭାବନା ନାହିଁ ବୋଲି କହିଛନ୍ତି।