ରାଷ୍ଟ୍ରପତି ନିର୍ବାଚନ: ଅସୁସ୍ଥ ସତ୍ତ୍ୱେ ପ୍ରଚାରକୁ ଓହ୍ଲାଇଲେ ଟ୍ରମ୍ପ

ୱାଶିଂଟନ,ଏଜେନ୍ସି: ବହୁ ଉଦ୍ୟମ କରି କରୋନା ଭୂତାଣୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନରେ ଭୟ ସଞ୍ଚାର କରିବାକୁ ସକ୍ଷମ ହୋଇଛି । ହସ୍ପିଟାଲରୁ ଫେରିବା ପରେ ଏବେ ଦୃଢ଼ମନା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହ୍ୱାଇଟ୍‌ହାଉସ୍ ବାଲକୋନିରେ ଦେଖିବାକୁ ମିଳୁଛି । ଶନିବାର ଟ୍ରମ୍ପ ହ୍ୱାଇଟ୍‌ହାଉସର ଦକ୍ଷିଣପାଶ୍ୱର୍ ବଗିଚାରେ ଅପେକ୍ଷାରତ ସମର୍ଥକଙ୍କୁ ବାଲକୋନିରୁ ହାତ ହଲାଇ ଶୁଭେଚ୍ଛା ଜ୍ଞାପନ କରିଥିଲେ । ନିଜେ କୋଭିଡ୍‌-୧୯ରେ ଆକ୍ରାନ୍ତ ହେବାପରେ ତାଙ୍କ ମନରୁ ରୋଗୀଙ୍କ ପ୍ରତି ଥିବା ବେପରୁଆ ମନୋଭାବ ଦୂର ହୋଇଛି । ମତଦାନ ସମୟ ପାଖେଇ ଆସୁଥିବାରୁ ସେ କାଳବିଳମ୍ବ ନକରି ପ୍ରଚାରକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଟ୍ରମ୍ପ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି ମାତ୍ର ନିର୍ବାଚନ ପ୍ରଚାରରେ ବହୁତ ପଛରେ ରହିଯାଇଥିବାରୁ ସେ ଆଉ ସମୟ ନଷ୍ଟ କରିବାକୁ ଚାହୁନାହାନ୍ତି । ନିଜେ ପ୍ରଚାର ମଇଦାନକୁ ନ ଓହ୍ଲାଇଲେ ପରାଜୟ ସୁନିଶ୍ଚିତ ବୋଲି ତାଙ୍କର ହୃଦବୋଧ ହୋଇଛି । ଏଣିକି ପ୍ରଚାର କାର୍ଯ୍ୟରେ ସେ ଲୋକମାନଙ୍କୁ କୋଭିଡ୍‌-୧୯ ଗାଇଡ୍‌ଲାଇନ୍ ମାନି ଚଳିବା ପାଇଁ କହିବାକୁ ଭୁଲିବେ ନାହିଁ ବୋଲି ତାଙ୍କ ସମାଲୋଚକମାନେ ଆଲୋଚନା କରୁଛନ୍ତି । ଏମିତି ତ ସମାଲୋଚକଙ୍କ ମୁହଁରୁ ଦୁଇପଦ ଶୁଣିବା ପାଇଁ ଟ୍ରମ୍ପ କିଛି ନା କିଛି ତ୍ରୁଟି କରିବସନ୍ତି । ମାତ୍ର ଏବେ ତାଙ୍କୁ ବେଶ ସତର୍କତାର ସହ ଲୋକଙ୍କୁ ମନାଇବାକୁ ପଡ଼ିବ । ବିଗତ କିଛିଦିନ ଧରି ପ୍ରଚାର ମଇଦାନରେ ଅନୁପସ୍ଥିତ ଥିବାରୁ ତାଙ୍କର ପ୍ରଧାନ ପ୍ରତିଦ୍ୱନ୍ଦ୍ୱୀ ବିଡେନ ବେଶ କିଛିପାଦ ଆଗେଇ ଯାଇଛନ୍ତି । ବିଶେଷ କରି କୋଭିଡ୍‌-୧୯ ଟିକା ବଜାରକୁ ଛାଡ଼ି ସବୁ ଭୋଟ ସାଉଁଟିନେବାକୁ ଟ୍ରମ୍ପ ବିଚାର କରୁଛନ୍ତି ।

ଟ୍ରମ୍ପଙ୍କ ବ୍ୟଗ୍ରତାକୁ ବୁଝି ପାରୁଥିଲେ ମଧ୍ୟ ଗବେଷକଙ୍କ ପାଖରେ ବିକଳ୍ପ ପନ୍ଥା ନାହିଁ । ଦେଶରେ କୋଭିଡ୍‌-୧୯ର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି । ଦୈନିକ ପ୍ରାୟ ୫୦ ହଜାର ମାମଲା ସାମ୍ନାକୁ ଆସୁଛି ବୋଲି ବିଭିନ୍ନ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିକଟରୁ ଜଣାପଡ଼ିଛି ।