ଟ୍ରକ୍ ମାଲିକ ସଂଘର ୬ ମାସ ରୋଡ଼ ଟିକସ ରିହାତି ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ସମୟରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଯାନବାହାନ ଚଳାଚଳ ବନ୍ଦ ରହିଥିବାରୁ ବ୍ରଜରାଜନଗର ଅଂଳର ଟ୍ରକ ମାଲିକମାନେ ଆର୍ଥିକ କ୍ଷତି ସହିଛନ୍ତି। ଏହି ପରିସ୍ଥିତିରେ ସେମାନେ ରୋଡ଼ ଟିକସ ଦେବାକୁ ଅସମର୍ଥ ହୋଇ ପଡ଼ିଥିବାରୁ ସଂଘରେ ପଞ୍ଜିକୃତ ସମସ୍ତ ଟ୍ରକର ୬ ମାସର ରୋଡ଼ ଟିକସ ରିହାତି କରିବା ପାଇଁ ବ୍ରଜରାଜନଗର ଟ୍ରକ୍ ମାଲିକ ସଂଘ(ବିଟିଓଏ) ଦାବି କରିଛି। ଏଥିପାଇଁ ସଂଘ ପକ୍ଷରୁ ବାଣିଜ୍ୟ ଓ ପରିବହନ ବିଭାଗକୁ ପତ୍ର ଲେଖି ଅନୁରୋଧ କରାଯିବା ସହ ଏହାର ନକଲ ରାଜ୍ୟ ମାନବାଧିକାର କମିଶନ, ଝାରସୁଗୁଡ଼ା ଜିଲ୍ଲାପାଳ, ଆରଟିଓ ଓ ନିର୍ବାଚିତ ପ୍ରତିନିଧିଙ୍କୁ ପଠାଯାଇଛି। ଗାଡ଼ି ମାଲିକମାନେ ଏବେ ରୋଡ଼ ଟ୍ୟାକ୍ସ ଦେବାରେ ଅସମର୍ଥ ଥିବାବେଳେ ଟ୍ୟାକ୍ସ ଉପରେ ମାତ୍ରାଧିକ ଜୋରିମାନା ବୃଦ୍ଧି ପାଇବା ଟ୍ରକ ମାଲିକଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ପାଲିଟିଛି ବୋଲି ଟ୍ରକ ଆସୋସିଏସନ ପକ୍ଷରୁ କୁହାଯାଇଛି। ଟ୍ରକ ମାଲିକ ସଞ୍ଜୀବ ମେହେର କହିଛନ୍ତି ଯେ, ଅନେକ ଗାଡ଼ି ମାଲିକ ଏପ୍ରିଲରୁ ଏପର୍ଯ୍ୟନ୍ତ ରୋଡ଼ ଟିକସ ଦେବାରେ ଅକ୍ଷମ ଥିବାରୁ ସେମାନଙ୍କ ଜୋରିମାନା ଢେର ଗୁଣା ବଢ଼ିଯାଇଛି। ତେବେ ଏହି ଟ୍ରକ ମାଲିକମାନେ ବର୍ଷକୁ ୪ଥର ରୋଡ଼ ଟିକସ ଦେଉଛନ୍ତି। ଗତ ଅକ୍ଟୋବରରୁ ଡ଼ିସେମ୍ବର ୩ ମାସିଆ ରୋଡ଼ ଟ୍ୟାକ୍ସ ( ମୋଟର ଯାନ କର) ଦାଖଲ ଅବଧିକୁ ରାଜ୍ୟ ସରକାର ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ହେଁ ଟ୍ରକ ମାଲିକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ଥିବାରୁ ସେମାନେ ଟିକସ ଦେଇ ପାରିନାହାନ୍ତି। ପ୍ରତିବର୍ଷ ସମୟରେ ଟିକସ ଦେଉଥିବା ଏହି ଟ୍ରକ ମାଲିକଙ୍କ ଆର୍ଥିକ ଅବସ୍ଥାକୁ କରୋନା ମହାମାରୀ ଉଜାଡ଼ି ଦେଇଥିବାରୁ ବିଗତ ୬ ମାସର ଟିକସକୁ ଛାଡ଼ କରାଯାଉ ବୋଲି ଟ୍ରକ ଆସୋସିଏସନ ପକ୍ଷରୁ କୁହାଯାଇଛି।