‘ପରୀ’ହତ୍ୟା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଧାରଣା

ମାଲକାନଗିରି ,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ‘ପରୀ’ ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଜିଲ୍ଲା କଂଗ୍ରେସ କମିଟିର ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ୱରେ ୫୦ ରୁ ଊର୍ଦ୍ଧ କର୍ମୀ ଏହି ଧାରଣାରେ ଅଂଶଗ୍ରହଣ କରିଥିଲେ। ଏହି ଘଟଣାରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନଥିବା କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରାଯାଇଥିଲା। ଯେଉଁ ପର୍ଯ୍ୟନ୍ତ ପରୀ ପରିବାରକୁ ନ୍ୟାୟ ମିଳିବ ନାହିଁ କଂଗ୍ରେସର ଲଢ଼େଇ ଜାରୀ ରହିବ ବୋଲି ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏହି ଧାରଣାରେ କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଡ଼ି, ମହିଳାନେତ୍ରୀ କମଳା ବରାଳ, ସରକପଞ୍ଚ ଭୀମା ବାର୍ସେ, ଯୁବ ନେତା ପଦ୍ମ ପାଙ୍ଗି, ଛବି ଦାସଙ୍କ ସମେତ ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ।