୨ ଟ୍ରକ୍ ମୁହାମୁହିଁ ଧକ୍କା, ଜଣେ ମୃତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ପଞ୍ଚମହଲା ଛକ ନିକଟରେ ୨ ଟ୍ରକ୍ ମୁହାମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନାସିକରୁ କୋଲକାତା ଅଭୁମୁଖେ ଯାଉଥିବା ଏକ କମଳା ବୋଝେଇ ଟ୍ରକ୍ ପଞ୍ଚମହଲା ଗ୍ରାମ ନିକଟ ୪୯ନଂ ଜାତୀୟ ରାଜପଥରେ ସମ୍ମୁଖ ଭାଗରୁ ଆସୁଥିବା ଆଇରନ୍ ବୋଝେଇ ଟ୍ରକ୍ ସହ ଧକ୍କା ହୋଇଥିଲା। ଫଳରେ ଆଇରନ ବୋଝେଇ ଗାଡି ଚାଳକ ଟ୍ରକ୍ କ୍ୟାବିନରେ ଚାପି ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଗାଡିରେ ଥିବା ଅନ୍ୟ କର୍ମଚାରୀମାନେ ଫେରାର ହୋଇଯାଇଥିଲେ। ସୂଚନାପାଇ ଦେବଗଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଳକର ମୃତଦେହ ଉଦ୍ଧାର କରିଥିଲା। ମୃତ ଚାଳକର ପରିଚୟ ମିଳି ନ ଥିବାବେଳେ ଦେବଗଡ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ପ୍ରଦୀପ କୁମାର ପାତ୍ର ସୂଚନା ଦେଇଛନ୍ତି।