ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ କିନ୍ନର ଲିଟୁ କାରିଗରଙ୍କୁ ପେନସନ ଓ ପରିଚୟପତ୍ର ପ୍ରଦାନ

ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରସ୍ତାବ ଅନୁଯାୟୀ କିନ୍ନରମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ତଦନୁଯାୟୀ ଉପଜିଲ୍ଲାପାଳଙ୍କ ମଞ୍ଜୁରୀକ୍ରମେ ଦେବଗଡ଼ ପୌରପାଳିକା ଅନ୍ତର୍ଗତ ୪ ନଂ ୱାର୍ଡ ଗୁରୁସାହିର ଲିଟୁ କାରିଗରଙ୍କୁ ଦେବଗଡ଼ ଜିଲ୍ଲାର ପ୍ରଥମ କିନ୍ନର ଭାବେ ପରିଚୟପତ୍ର ଓ ପେନସନ ପାସବୁକ୍ ପ୍ରଦାନ କରାଯାଇଛି।

ଦେବଗଡ ପୌରପାଳିକା କାର୍ଯ୍ୟାଳୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧୀର କୁମାର ନଇଙ୍କ ଉପସ୍ଥିତିରେ ପୌରପାଳିକା ନିର୍ବାହୀ ଅଧିକାରୀ ଅତସି ପରିଡା ଲିଟୁ କାରିଗରଙ୍କୁ ଏହି ପରିଚୟପତ୍ର ଓ ପେନସନ ପାସବୁକ୍ ପ୍ରଦାନ କରିଥିଲେ।ଏହି ଅବସରରେ ପୌରପାଳିକା କାର୍ଯ୍ୟାଳୟର ଗୋଷ୍ଠୀ ସଙ୍ଗଠିକା ମୋନାଲିସା ପଣ୍ଡା ଓ ଜିଲ୍ଲା କାର୍ଯ୍ୟାଳୟର ଜିଲ୍ଲା କାର୍ଯ୍ୟକ୍ରମ ସହାୟକ ପବିତ୍ର ପ୍ରଧାନ ଓ କନିଷ୍ଠ ସହାୟକ ଦିଗମ୍ବର ପ୍ରଧାନ ଉପସ୍ଥିତ ଥିଲେ। ଆଗାମୀ ଦିନରେ ସମସ୍ତ ଯୋଗ୍ୟ କିନ୍ନରମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହିତ ସେମାନଙ୍କ ଅର୍ଥନୈତିକ ବିକାଶ ନିମନ୍ତେ ବହୁମୁଖି କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।