କଟକ,ଏନ୍ଏନ୍ଏସ୍: କେରଳର ତ୍ରିଭାନ୍ଦ୍ରମ୍ଠାରେ ଚାଲିଥିବା ବିସିସିଆଇ ସିନିୟର୍ ମହିଳା ଟି-୨୦ ଲିଗ୍ରେ ଗୁରୁବାର ଓଡ଼ିଶାର ତା’ର ହ୍ୟାଟ୍ରିକ୍ ବିଜୟ ଅର୍ଜନ କରିଛି। ପୂର୍ବରୁ ପ୍ରତିଯୋଗିତାରେ ଦଳ ଛତିଶଗଡ଼ ଓ ବିହାରକୁ ପରାସ୍ତ କରିଥିବା ବେଳେ ଗୁରୁବାର ତୃତୀୟ ମୁକାବିଲାରେ ତ୍ରିପୁରାକୁ ୭ ୱିକେଟ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିବା ତ୍ରିପୁରା ୧୯.୨ ଓଭର୍ରେ ମାତ୍ର ୮୫ ରନ୍ କରି ଅଲ୍ଆଉଟ୍ ହୋଇଯିବା ପରେ ଓଡ଼ିଶା ମାତ୍ର ୩ଟି ୱିକେଟ୍ ହରାଇ ଊନବିଂଶ ଓଭର୍ର ଶେଷ ବଲ୍ରେ ୮୯ ରନ୍ରେ ପହଞ୍ଚି ବିଜୟ ହାସଲ କରିନେଇଥିଲା। ବୋଲିଂରେ ସୁଜାତା ମଲ୍ଲିକ, ରାମେଶ୍ୱରୀ ନାଏକ ଓ ସୁଶ୍ରୀ ଦିବ୍ୟଦର୍ଶିନୀ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ବ୍ୟାଟିଂରେ ଦୁଇ ଓପନର ମାଧୁରୀ ମେହେଟା ଓ କାଜଲ ଜେନା ଯଥାକ୍ରମେ ୨୮ ଓ ୨୫ ରନ୍ କରିଥିଲେ।
ବିହାର ବିପକ୍ଷ ମ୍ୟାଚ୍ରେ ୪ଟି ୱିକେଟ୍ ନେଇଥିବା ସୁଜାତା ତ୍ରିପୁରା ଓପନର ଅମ୍ବିକା ଦେବନାଥଙ୍କୁ ପ୍ରଥମ ଓଭର୍ର ଦ୍ୱିତୀୟ ବଲ୍ରେ ଆଉଟ୍ କରି ଓଡ଼ିଶାକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ପରବର୍ତ୍ତୀ ଓଭର୍ରେ ରାମେଶ୍ୱରୀ ତୃତୀୟ ନମ୍ବର ବ୍ୟାଟ୍ସଓମ୍ୟାନ୍ ଇନ୍ଦ୍ରାରାଣୀ ଜମାତିଆଙ୍କୁ ଆଉଟ୍ କରି ତ୍ରିପୁରାକୁ ଆଉ ଏକ ଝଟ୍କା ଦେଇଥିଲେ। ଶେଷ ପର୍ଯ୍ୟନ୍ତ ତ୍ରିପୁରା ଏହି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରୁ ମୁକୁଳିପାରି ନ ଥିଲା। ଯାହା ଫଳରେ ଦଳର ମାତ୍ର ୩ ଜଣ ବ୍ୟାଟ୍ସଓମ୍ୟାନ୍ ଦୁଇ ଅଙ୍କରେ ପହଞ୍ଚିପାରିଥିଲେ। ସେମାନଙ୍କ ମଧ୍ୟରୁ ଏମ୍କେ ରବିଦାସ ୩ଟି ଚୌକା ସହ ସର୍ବାଧିକ ୨୬ ରନ୍ କରିଥିବା ବେଳେ ଅନ୍ୟତମ ଓପନର ତଥା ୱିକେଟ୍କିପର୍-ବ୍ୟାଟ୍ସଓମ୍ୟାନ୍ ଜେଆର୍ ଦେବନାଥ ୨ଟି ଚୌକା ଓ ଗୋଟିଏ ଛକା ସହ ୨୧ ରନ୍ କରିଥିଲେ।
ଏହାଛଡ଼ା ଗୋଟିଏ ଚୌକା ସହ ଏସ୍ଏଚ୍ ଚକ୍ରବର୍ତ୍ତୀ ୧୧ ରନ୍ର ଯୋଗଦାନ ଦେଇଥିଲେ। ସେହିପରି ସପ୍ତମ ୱିକେଟ୍ରେ ଚକ୍ରବର୍ତ୍ତୀ ଓ ରବିଦାସଙ୍କ ମଧ୍ୟରେ ୧୯ ବଲ୍ରେ ୩୦ ରନ୍ର ଭାଗୀଦାରୀ ହୋଇଥିଲା, ଯାହାକି ଇନିଂସର ସର୍ବାଧିକ। ସେମାନଙ୍କ ବ୍ୟତୀତ ତୃତୀୟ ୱିକେଟ୍ରେ ଏନ୍ଏନ୍ ଦେବନାଥ ଓ ଜେଆର୍ ଦେବନାଥ ୨୪ ବଲ୍ ଖେଳି ୨୦ ରନ୍ ଯୋଡ଼ିଥିଲେ। ଓଡ଼ିଶା ପକ୍ଷରୁ ସୁଜାତା ୪ ଓଭର୍ରେ ୧୯ ରନ୍ ବ୍ୟୟ କରିଥିବା ବେଳେ ରାମେଶ୍ୱରୀ ୩ ଓଭର୍ରେ ୮ ଏବଂ ସୁଶ୍ରୀ ୨.୨ ଓଭର୍ରେ ୧୭ ରନ୍ ଦେଇଥିଲେ। ଏହାଛଡ଼ା ପ୍ରିୟଙ୍କା ପ୍ରିୟଦର୍ଶିନୀ, ରସନାରା ପରବୀନ୍ ଓ ଅଧିନାୟିକା ମଧୁସ୍ମିତା ବେହେରା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ବ୍ୟାଟିଂରେ ଦଳ ପକ୍ଷରୁ ଦୁଇ ଓପନର ମାଧୁରୀ ଓ କାଜଲ ପ୍ରଥମ ୱିକେଟ୍ରେ ୫୨ ରନ୍ ଯୋଡ଼ି ବିଜୟ ପକ୍କା କରିଦେଇଥିଲେ। ସେମାନେ ୬୩ଟି ବଲ୍ର ସମ୍ମୁଖୀନ ହୋଇ ଏହି ଭାଗୀଦାରୀ କରିଥିଲେ। ମାଧୁରୀ ୫ଟି ଚୌକା ସହାୟତାରେ ୨୮ ରନ୍ କରି ଆଉଟ୍ ହେବା ଫଳରେ ଏହି ଭାଗୀଦାରୀ ଭାଙ୍ଗିଥିଲା। ପରେ ପରେ କାଜଲ ୩ଟି ଚୌକା ସହାୟତାରେ ୨୫ ରନ୍ କରିଥିବା ସମୟରେ ପ୍ୟାଭିଲିଅନ୍ ଫେରିଥିଲେ। ସୁଶ୍ରୀ ଗୋଟିଏ ଚୌକା ସହ ୧୨ ରନ୍ କରି ଆଉଟ୍ ହେବା ପରେ ସରିତା ମେହେର ଗୋଟିଏ ଛକା ସହାୟତାରେ ୨୦ ରନ୍ କରି ଦଳକୁ ବିଜୟୀ କରାଇଥିଲେ। ତାଙ୍କ ସହ ପ୍ରଜ୍ଞା ପି. ମହାନ୍ତି ୧ ରନ୍ କରି ଅପରାଜିତ ଥିଲେ। ତ୍ରିପୁରା ପକ୍ଷରୁ ଅଧିନାୟିକା ଏବି ଦାସ ୨ଟି ଓ ପିଏ ଆଚାର୍ଜି ଗୋଟିଏ ୱିକେଟ୍ ନେଇଥିଲେ। ପ୍ରତିଯୋଗିତାରେ ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍ ଶୁକ୍ରବାର ଝାଡ଼ଖଣ୍ଡ ବିପକ୍ଷରେ ଖେଳିବ।