ଚେନ୍ନାଇର ଦ୍ୱିତୀୟ ବିଜୟ, ମୁମ୍ବାଇ ପିଛା ଛାଡ଼ୁନି ପରାଜୟ

ମୁମ୍ବାଇ,ଏଜେନ୍ସି: ଚଳିତ ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣରେ ଗୁରୁବାର ୩୩ ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଚେନ୍ନାଇ ସୁପର୍ କିଙ୍ଗ୍‌ସ ୩ ୱିକେଟ୍‌ରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇ ୨୦ ଓଭର୍‌ରେ ୭ ୱିକେଟ୍ ହରାଇ ୧୫୫ ରନ୍ କରିଥିଲା। ଏହାର ଜବାବରେ ଚେନ୍ନାଇ ୨୦ ଓଭର୍‌ରେ ୭ଟି ୱିକେଟ୍ ହରାଇ ୧୫୬ ରନ୍ କରି ସଂସ୍କରଣରେ ନିଜର ଦ୍ୱିତୀୟ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ମୁମ୍ବାଇ ଅଦ୍ୟାବଧି ୭ଟି ମ୍ୟାଚ୍ ଖେଳିସାରିଥିବା ବେଳେ ପରାଜୟ ଦଳର ପିଛା ଛାଡ଼ୁନାହିଁ। ବିଜୟର ନିକଟତର ହୋଇଥିଲେ ହେଁ ମୁମ୍ବାଇ ସପ୍ତମ ପରାଜୟ ସହ ଦଳ ସର୍ବନିମ୍ନ ସ୍ଥାନରେ କାଏମ ରହିଛି।

ମୁମ୍ବାଇର ଦୁଇ ଓପନର ରୋହିତ ଶର୍ମା ଓ ଈଶାନ୍ କିଶନଙ୍କ ଦୁର୍ବଳ ଫର୍ମ କାଏମ ରହିଥିଲା। ଉଭୟ ବ୍ୟାଟ୍ସମ୍ୟାନ୍ ପ୍ରଥମ ଓଭର୍‌ରେ ଆଉଟ୍ ହୋଇଥିବା ବେଳେ କେହି ଖାତା ବି ଖୋଲିବାରେ ସକ୍ଷମ ହୋଇ ନ ଥିଲେ। ଚେନ୍ନାଇ ପେସର୍ ମୁକେଶ ଚୌଧୁରୀ ଦ୍ୱିତୀୟ ବଲ୍‌ରେ ରୋହିତଙ୍କୁ ମିଚେଲ୍ ସାଣ୍ଟନର୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ। ଚତୁର୍ଥ ବଲ୍‌ରେ ସେ କିଶନ୍‌ଙ୍କୁ ବୋଲ୍‌ଡ ଆଉଟ୍ କରି ଚେନ୍ନାଇକୁ ଡବଲ୍ ସଫଳତା ଦେଇଥିଲେ। ପରେ ଡେୱାଲ୍ଡ ବ୍ରେଭିସ୍‌ଙ୍କୁ ଆଉଟ୍ କରି ମୁକେଶ ମୁମ୍ବାଇ ସ୍କୋର୍‌କୁ ୨୩/୩ରେ ପହଞ୍ଚାଇଦେଇଥିଲେ।

ସୂର୍ଯ୍ୟକୁମାର ଯାଦବ ମାତ୍ର ୨୧ ବଲ୍‌ରେ ୩ଟି ଚୌକା ଓ ଗୋଟିଏ ଛକା ଜରିଆରେ ୩୨ ରନ୍ କରିଥିଲେ ହେଁ ସାଣ୍ଟନରଙ୍କ ବଲ୍‌ରେ ବିଦାୟ ନେଇଥିଲେ। ପରେ ହ୍ରିତିକ୍ ଶୋକିନ୍ ୩ଟି ଚୌକା ସହ ୨୫ ଏବଂ କାଇରନ୍ ପୋଲାର୍ଡ ଗୋଟିଏ ଲେଖାଏଁ ଚୌକା ଓ ଛକା ଜରିଆରେ ୧୪ ରନ୍ କରିଥିଲେ। ଇନ୍‌ଫର୍ମ ତିଲକ ବର୍ମା ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ୪୩ ବଲ୍‌ରେ ୩ଟି ଚୌକା ଓ ୨ଟି ଛକା ସହାୟତାରେ ୫୧ ରନ୍ କରିଥିଲେ। ଚେନ୍ନାଇ ପକ୍ଷରୁ ମୁକେଶ ସର୍ବାଧିକ ୩ଟି ଓ ଡ୍ୱେନ୍ ବ୍ରାଭୋ ୨ଟି ୱିକେଟ୍ ନେଇଥିଲେ।

ବ୍ୟାଟିଂରେ ଓପନର ଋତୁରାଜ ଗାଏକ୍ୱାଡ୍‌ଙ୍କୁ ଚେନ୍ନାଇ ପ୍ରଥମ ବଲ୍‌ରେ ଏବଂ ସାଣ୍ଟନର୍ (୧୧)ଙ୍କୁ ତୃତୀୟ ଓଭର୍‌ରେ ହରାଇଥିଲେ ହେଁ ମୁମ୍ବାଇ ପାଇଁ ଅନ୍ୟତମ ଓପନର ତଥା ଆଇପିଏଲ୍‌ରେ ୨୦୦ତମ ମ୍ୟାଚ୍ ଖେଳୁଥିବା ରବିନ୍ ଉଥାପ୍ପା ଓ ଅମ୍ବାତି ରାୟୁଡୁ ୫୦ ରନ୍ ଯୋଡ଼ିଥିଲେ। ୨୫ଟି ବଲ୍ ଖେଳି ୨ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୩୦ ରନ୍ କରିଥିବା ସମୟରେ ଉଥାପ୍ପା ଆଉଟ୍ ହେବା ଫଳରେ ଏହି ଭାଗୀଦାରୀରେ ବ୍ରେକ୍ ଲାଗିଥିଲା। ପରେ ପରେ ୩୫ଟି ବଲ୍‌ରେ ୨ଟି ଚୌକା ଓ ୩ଟି ଛକା ସହ ରାୟୁଡୁ ୪୦ ରନ୍‌ରେ ବିଦାୟ ନେଇଥିଲେ। ଏହାଛଡ଼ା ଡ୍ୱେନ୍ ପ୍ରିଟୋରିଅସ୍ ୨ଟି ଚୌକା ଓ ଗୋଟିଏ ଛକା ସହ ୨୨, ଶିବମ୍ ଦୁବେ ୧୩, ଅଧିନାୟକ ରବୀନ୍ଦ୍ର ଜାଡେଜା ୩ ରନ୍ କରି ଆଉଟ୍ ହୋଇଥିଲେ। ଶେଷରେ ମହେନ୍ଦ୍ର ସିଂହ ଧୋନି ୧୩ଟି ବଲ୍‌ରେ ୩ଟି ଚୌକା ଓ ଗୋଟିଏ ଛକା ସହ ୨୮ ରନ୍ କରି ଦଳକୁ ବିଜୟୀ କରାଇଥିଲେ। ମୁମ୍ବାଇ ପକ୍ଷରୁ ଡାନିଏଲ୍ ସାମ୍ସ ସର୍ବାଧିକ ୪ଟି ଓ ଜୟଦେବ ଉନାଦକତ୍ ୨ଟି ୱିକେଟ୍ ନେଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ମୁମ୍ବାଇ ଇଣ୍ଡିଆନ୍ସ-୧୫୫/୭, ୨୦ ଓଭର୍ (ତିଲକ ବର୍ମା-୫୧³, ସୂର୍ଯ୍ୟକୁମାର ଯାଦବ-୩୨, ମୁକେଶ ଚୌଧୁରୀ-୧୯/୩, ଡ୍ୱେନ୍ ବ୍ରାଭୋ-୩୬/୨); ଚେନ୍ନାଇ ସୁପର୍ କିଙ୍ଗ୍‌ସ-୧୫୬/୭, ୨୦ ଓଭର୍ (ଅମ୍ବାତି ରାୟୁଡୁ-୪୦, ରବିନ୍ ଉଥାପ୍ପା-୩୦, ଡାନିଏଲ୍ ସାମ୍ସ-୨୯/୪, ଜୟଦେବ ଉନାଦକତ୍‌-୪୮/୨)।