ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ସହିଦ ଚନ୍ଦ୍ରକାନ୍ତଙ୍କ ଶେଷକୃତ୍ୟ

କନ୍ଧମାଳ/ରାଇକିଆ,ଏନ୍ଏନ୍ଏସ୍: ଆଜି ସକାଳୁ ରାଇକିଆ ମହୋତ୍ସବ ପଡ଼ିଆରେ ସହିଦ ଚନ୍ଦ୍ରକାନ୍ତଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଚନ୍ଦ୍ରକାନ୍ତଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡିଙ୍କ ସମେତ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ଗୀତା ସିଂ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ମନ୍ତ୍ରୀ ଅରୁଣ ସାହୁ ଓ ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ତାଙ୍କର ଶେଷ ଦର୍ଶନ କରିଥିଲେ।

ଏହି ସମୟରେ ଜିଲ୍ଲା ପୁଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ଉପସ୍ଥିତ ଥିଲେ। ବୀର ସହିଦ ଚନ୍ଦ୍ରକାନ୍ତଙ୍କୁ ନେଇ ସାରା ଗାଁ ଗର୍ବ କରୁଛି।

 

ସୂଚନା ଅନୁସାରେ ଗାଲୱାନ ଉପତ୍ୟକାରେ ଚୀନ ସୈନଙ୍କ ଆକ୍ରମଣରେ ଦେଶ ପାଇଁ ସହିଦ ହୋଇଥିବା ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର ଶୁକ୍ରବାର ସକାଳ ୭ଟାରେ ରାଇକିଆ ପଡ଼ିଆ ନିକଟରେ ପହଞ୍ଚିଥିଲା। ହଜାର ହଜାର ଲୋକଙ୍କ ଉପସ୍ଥିତରେ ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସେନା ତରଫରୁ ୨୧ ତୋପ ସଲାମୀ ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।