ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରେନ

ରାୟଗଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ରୁ ସମ୍ବଲପୁର ଅଭିମୁଖେ ବାହାରିଥିବା ତପସ୍ୱିନୀ ଏକ୍ସପ୍ରେସ ଥେରୁବାଲି ଷ୍ଟେସନ ଛାଡ଼ିବା ପରେ ବୃନ୍ଦାବାଡ଼ି ନିକଟରେ ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଛି । ହେଲେ ଏଥିରେ କେହି ମୃତାହତ ହୋଇନାହାନ୍ତି । ସ୍ଥାନୀୟ ଲୋକ ପହଞ୍ଚି ଆମ୍ବୁଲାନ୍ସକୁ ବାହାର କରିବା ପରେ ଟ୍ରେନ ୨୦ ମିନିଟ ବିଳମ୍ବରେ ସେଠାରୁ ଛାଡ଼ିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଥେରୁବାଲି ନିକଟ ବୃନ୍ଦାବାଡ଼ିରେ ଏକ ରେଳ ଫାଟକ ରହିଛି । ସବୁବେଳେ ଟ୍ରାଫିକ ସମସ୍ୟାକୁ ଆଖି ଆଗରେ ରଖି ବିକଳ୍ପ ରାସ୍ତା ତିଆରି ହେବା ପରଠୁ ସେହି ରାସ୍ତା ଦେଇ କୌଣସି ଯାନବାହାନ ଚଳାଚଳ କରେନାହିଁ । ଆଜି ଆମ୍ବୁଲାନ୍ସ ସେହି ରାସ୍ତା ଦେଇ ଯିବାବେଳେ ରେଳ ଧାରଣା ମଝିରେ ହଠାତ୍ ଆମ୍ବୁଲାନ୍ସ ଟିର ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା । ଇତିମଧ୍ୟରେ ରାୟଗଡ଼ରୁ ସମ୍ବଲପୁର ଅଭିମୁଖେ ବାହାରିଥିବା ତପସ୍ୱିନୀ ଏକ୍ସପ୍ରେସ ହଠାତ୍ ଆସିଯାଇଥିଲା ।

ଟ୍ରେନକୁ ଅତି ନିକଟରୁ ଦେଖି ଡ୍ରାଇଭର ନିଜ ଜୀବନ ବଞ୍ଚାଇ ଆମ୍ବୁଲାନ୍ସରୁ ଡେଇଁ ପଡ଼ିଥିଲେ । ଅନ୍ୟପଟେ ଟ୍ରେନ ପାଇଲଟ ମଧ୍ୟ ଅତି ନିକଟରୁ ଟ୍ରେନ ପ୍ରକାରେ ଆମ୍ବୁଲାନ୍ସ ଦେଖି ସତର୍କତାର ସହିତ ବ୍ରଜ ମାରିବାରୁ ଟ୍ରେନଟି ଆସି ଆମ୍ବୁଲାନ୍ସକୁ ସାମାନ୍ୟ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଟ୍ରେନ ସାମ୍ନାରୁ ବାହାର କରିବା ପରେ ଟ୍ରେନ ନିଜ ଗନ୍ତବ୍ୟସ୍ଥଳକୁ ବାହାରିଥିଲା । ବଡ଼ କଥାଟି ହେଲା ଆମ୍ବୁଲାନ୍ସଟି ବୁରୁନ୍ଦାବାଡ଼ି ଗାଁକୁ ରୋଗୀ ଆଣିବାକୁ ଯାଉଥିବାରୁ ଏଥିରେ କେହି ନଥିଲେ । କିନ୍ତୁ ଏନେଇ ବିଭାଗ ତରଫରୁ କୌଣସି ସୂଚନା ମିଳିପାରି ନାହିଁ ।