ଏଣିକି ୨୮ ନୁହେଁ, ମିଳିବ ୩୦ ଦିନିଆ ରିଚାର୍ଜ ପ୍ଲାନ

ନୂଆଦିଲ୍ଲୀ,ଏଜେନ୍ସି: ମୋବାଇଲ ୟୁଜର୍ସଙ୍କ ପାଇଁ ଖୁସି ଖବର। ଏଣିକି ୨୮ ଦିନ ବଦଳରେ ମିଳିବ ୩୦ ଦିନିଆ ରିଚାର୍ଜ ବୈଧତା। ଟେଲିକମ୍ କମ୍ପାନୀଗୁଡିକୁ ୩୦ ଦିନର ବୈଧତା ଥିବା ରିଚାର୍ଜ ପ୍ଲାନ ଆଣିବାକୁ ନିର୍ଦ୍ଦେଶ ଦେଇଛି ଟ୍ରାଇ। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ ପକ୍ଷରୁ ମୋବାଇଲ ଗ୍ରାହକଙ୍କ ସୁବିଧା ପାଇଁ ଏହି ନୂଆ ଗାଇଡଲାଇନ ଜାରି ହୋଇଛି।

ଟ୍ରାଇ କହିଛି, ଅତିକମ୍‌ରେ ଟେଲିକମ୍ କମ୍ପାନୀମାନେ ଗୋଟିଏ ପ୍ଲାନ ଭାଉଚର, ଗୋଟିଏ ସ୍ପେଶାଲ ଟାରିଫ୍ ଭାଉଚର ଏବଂ ଗୋଟିଏ କମ୍ବୋ ଭାଉଚର ଆଣିବେ, ଯାହାର ବୈଧତା ୩୦ ଦିନ ରହିବ। ୨୮ ଦନିର ବୈଧତା ପ୍ଲାନ ବଦଳରେ ୩୦ ଦିନିଆ ପ୍ଲାନ ଆଣିବାକୁ ଉପଭୋକ୍ତାଙ୍କ ପକ୍ଷରୁ ଦାବି କରାଯାଇଥିଲା। ଉପଭୋକ୍ତାଙ୍କ ହିତ ଦୃଷ୍ଟିରେ ଏହି ପଦକ୍ଷେପ ନେଇଛି ଟ୍ରାଇ।ଟେଲିକମ୍ ଟାରିଫ ୬୬ ଆମେଣ୍ଟମେଣ୍ଟ ଅର୍ଡର ୨୦୨୨ ଅନୁଯାୟୀ, ମୋବାଇଲ ଫୋନ ୟୁଜର୍ସଙ୍କୁ ରିଚାର୍ଜ ପ୍ଲାନର ବହୁଗୁଡିଏ ବିକଳ୍ପ ମିଳିବ।

ଏଥିରେ ୩୦ ଦିନିଆ ବୈଧତା ବିଶିଷ୍ଟ ରିଚାର୍ଜ ପ୍ଲାନ ବିକଳ୍ପ ମଧ୍ୟ ରହିବ। ପ୍ରକାଶଥାଉ କି, ଏବେ ଟେଲିକମ୍ କମ୍ପାନୀଗୁଡିକ ୨୮ ଦିନ ଏବଂ ୨୪ ଦିନିଆ ରିଚାର୍ଜ ପ୍ଲାନ ଦେଉଛନ୍ତି। ମାସିକ ଯୋଜନାରେ ରିଚାର୍ଜ କଲେ କେତେକ କ୍ଷେତ୍ରରେ ଗ୍ରାହକମାନଙ୍କୁ ୧୩ ଥର ରିଚାର୍ଜ କରିବାକୁ ପଡୁଛି। ଏଥିପାଇଁ ଉପଭୋକ୍ତା ଠକାମିର ଶିକାର ହେଉଥିବା ନେଇ ଟ୍ରାଇ ନିକଟରେ ଅଭିଯୋଗ ହୋଇଥିଲା। ଏହିସବୁ ଅଭିଯୋଗକୁ ବିଚାର କରି ଟେଲିକମ୍ କମ୍ପାନୀଙ୍କୁ ଟ୍ରାଇ ୩୦ ଦିନିଆ ବୈଧତା ଥିବା ରିଚାର୍ଜ ପ୍ଲାନ ଆଣିବାକୁ ନିର୍ଦ୍ଦେଶ ଦେଇଛି।