ଭୋଟର ଲିଷ୍ଟରୁ ବାଦ ପଡିଲେ ଗୋଟିଏ ୱାର୍ଡର ୧୧୭ ଭୋଟର

ଖୋର୍ଦ୍ଧା,ଏନ୍ନ୍ଏସ୍: ପାଞ୍ଚବର୍ଷରେ ଥରେ ଆସେ ନିର୍ବାଚନୀ ପର୍ବ। ମତ ସାବ୍ୟସ୍ତ ପାଇଁ ଚାହିଁ ବସିଥାଏ ଭୋଟର। ମାତ୍ର ଚଳିତ ପଞ୍ଚାୟତ ନିର୍ବାଚନରେ କେତେକ ଭୋଟରଙ୍କ ତାଲିକା କଟି ଯାଇଥିବାରୁ କ୍ଷୋଭ ବ୍ୟକ୍ତ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବଡକୁମ୍ଭାର ପଞ୍ଚାୟତର ୱାର୍ଡ ନମ୍ବର ୨୨ର ମତଦାତା।

ଗୋଟିଏ ୱାର୍ଡର ୧୧୭ ଜଣ ଭୋଟରଙ୍କ ନାଁ ଭୋଟର ଲିଷ୍ଟରେ ଆସିନଥିବା ଅଭିଯୋଗ ହୋଇଛି। ୨୦୧୭ ପଞ୍ଚାୟତ ନିର୍ବାଚନ ଏବଂ ୨୦୧୯ ବିଧାନସଭା ନିର୍ବାଚନରେ ମତ ସାବ୍ୟସ୍ତ କରିଥିବା ଭୋଟରଙ୍କ ନାମ କିପରି ଚଳିତ ନିର୍ବାଚନରୁ ହଟାଇ ଦିଆଗଲା ସେ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ୱାର୍ଡବାସୀ। ସବୁଠୁ ବଡ କଥା ହେଉଛି କି, ଗତଥର ୱାର୍ଡ ସଭ୍ୟ ହୋଇଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ଭୋଟର ତାଲିକାରୁ ବାଦ ପଡିଛି। ସେହିପରି ୱାର୍ଡ ନମ୍ବର ୨୧ର ପାଖାପାଖି ୯୦ ଜଣ ଭୋଟରଙ୍କ ନାମ ୨୨ ନମ୍ବର ୱାର୍ଡରେ ରହିଛି। ତେବେ ଏହା ରାଜନୈତିକ ଚଞ୍ଚକତା କି ପ୍ରଶାସନିକ ଭୁଲ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ। ସେପଟେ ନିଜର ହକ ତଥା ମତାଧିକାର ସାବ୍ୟସ୍ତ ପାଇଁ ଉଚ୍ଚ ନ୍ୟାୟଳୟ ଦ୍ୱାରସ୍ଥ ହୋଇଛନ୍ତି ଶ୍ରୀଚନ୍ଦନପୁର ଗ୍ରାମବାସୀ।