ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ଯୁବତୀ ମୃତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଗୁମାଡେରା ଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମାଲବାହୀ ଟ୍ରକ ଧକ୍କାରେ ଜଣେ ଯୁବତୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ଯୁବତୀ ଜଣକ ହେଲେ ଟିଆରଏଲ୍ କଲୋନୀ ନିବାସୀ ଦେବାଶିଷ ଆଇଚଙ୍କ ଝିଅ ଶ୍ରୀୟା ଆଇଚ(୨୨)। ଶ୍ରୀୟା ଆଜି ଗୁମାଡେରାରୁ ବେଲପାହାଡ଼ ଅଭିମୁଖେ ନିଜ ସ୍କୁଟିରେ ଯାଉଥିବା ବେଳେ ଟ୍ରକଟି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସେ ତଳେ ପଡ଼ି ଟ୍ରକ ଚକ ତଳେ ପଶିଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିଛି। ଅନ୍ୟପଟେ ଟ୍ରକ ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଟାୟାର ଜଳି ରାସ୍ତା ରୋକ କରିଛନ୍ତି। ଏଥିସହିତ ମାଲବାହୀ ଗାଡି ପାଇଁ ସ୍ୱତନ୍ତ୍ର ରୋଡ଼ ଦାବି କରିଛନ୍ତି। ଘଟଣାସ୍ଥଳରେ ଲଖନପୁର ତହସିଲଦାର ବିଶ୍ୱକେସନ ପାଣ୍ଡେ, ବ୍ରଜରାଜନଗର ଏସଡିପିଓ ଦିଲ୍ଲୀପ ଦାସ, ବେଲପାହାଡ଼ ଥାନା ଅଧିକାରୀ ରଶ୍ମିତା ବେହେରା ଓ ପୁଲିସ ଫୋର୍ସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।