କୋଭିଡ ଯୋଦ୍ଧା ପରିବାରକୁ ମିଳିଲା ୫୦ ଲକ୍ଷ ଟଙ୍କା ସହାୟତା

କୋରାପୁଟ,ଏନ୍ଏନ୍ଏସ୍: ମୃତ କୋଭିଡ ଯୋଦ୍ଧା ପୁଲିସ ହାବିଲଦାର ପ୍ରଫୁଲ୍ଲ କୁମାର ଖଣ୍ଡୁଆଳଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ତରଫରୁ ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ମିଶ୍ର ସ୍ୱର୍ଗତ ଖଣ୍ଡୁଆଳଙ୍କ ପତ୍ନୀ ଜ୍ୟୋସ୍ନା ରାଣୀ ଖଣ୍ଡୁଆଳଙ୍କୁ ୫୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ସେକ୍ସନ୍ ଅଫିସର ପି.କେ. ସାମଲ ଏହି ସମୟରେ ସେଠାରେ ଉପସ୍ଥିତ ଥିଲେ।

ସେହିପରି ନିଆଁରେ ପୋଡି ଯାଇଥିବା ସ୍ତ୍ରୀର ଚିକିତ୍ସା ନିମନ୍ତେ ଦଶମନ୍ତପୁର ବ୍ଲକ୍ ଟିକରପଡା ଗ୍ରାମର ଗୋପାଳ ଚେଟ୍ଟୀଙ୍କୁ ରେଡ୍ କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ।