ରାଜ୍ୟରେ ୩୦୫ କରୋନା ସଂକ୍ରମିତ ଚିହ୍ନଟ, ୩ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ଆଜି ୩ ଶହରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୦୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି କରୋନା ସଂକ୍ରମିତଙ୍କ ମଧ୍ୟରେ ୧୭୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ଓ ୧୩୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୩୦୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରି ସୂଚନା ଦେଇଛି। ଏଥିସହିତ ରାଜ୍ୟରେ ଆଜି ଆଉ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୮୭୧କୁ ବୃଦ୍ଧି ପାଇଛି।

ଆଜିର ସଂକ୍ରମିତ ରିପୋର୍ଟ ଅନୁସାରେ ସୁନ୍ଦରଗଡ ଓ ସମ୍ବଲପୁରରୁ ସର୍ବାଧିକ ୨୮ ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି କରୋନା ମୃତକଙ୍କ ମଧ୍ୟରେ ଭଦ୍ରକ, ବଲାଙ୍ଗିର ଓ ପୁରୀରୁ ଜଣେ ଲେଖାଏଁ ରହିଛନ୍ତି। ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ୨,୬୦୭ ଜଣ ଚିକିତ୍ସାଧୀନ ଥିବାବେଳେ ୩ ଲକ୍ଷ ୨୪ ହଜାର ୭୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।