କୁଟ୍ରାଗଡ଼ର ନୂଆସାହି ଛକରେ ମର୍ମନ୍ତୁଦ ବାଇକ ଦୁର୍ଘଟଣା, ୨ ମୃତ

ମୁନିଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମୁନିଗୁଡା କୁଟ୍ରାଗଡ଼ ରାସ୍ତାର ଉଭୟ ପଟୁ ଦ୍ରୁତ ବେଗରେ ଆସୁଥିବା ଦୁଇ ବାଇକ ମୁହାଁମୁହିଁ ଧକା ହୋଇଛି। ଫଳରେ ତିନି ଜଣ ବାଇକ ଆରୋହୀଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପରେ ସ୍ଥାନୀୟ ଲୋକମାନେ ଗୁରୁତରମାନଙ୍କୁ ଆମ୍ବୁଲାନ୍ସରେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଠାଇବା ସହ ପୁଲିସକୁ ଖବର ଦେଇଥିଲେ। ମେଡିକାଲରେ ସେମାନଙ୍କ ଭିତରୁ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ମୃତକଙ୍କ ମଧ୍ୟରେ ଜଣେ କୋଲକାତା ହାଡୁଗ୍ରାମ ଅଞ୍ଚଳର ଆସାମୂଳ ମିର୍ଜା(୨୬) ଓ ଅନ୍ୟ ଜଣେ କୁଟ୍ରାଗଡ଼ର ଦିବାକର ମାଝୀ( ୩୪)। ସେହିପରି ଗୁରୁତର ଆହତ ଜଣଙ୍କ କୁଟ୍ରାଗଡ଼ ଅଞ୍ଚଳର ସୋନା ପାଟମାଝୀ(୩୮)। ମୃତକ ଦୁଇ ଜଣଙ୍କ ଶବ ବ୍ୟବଚ୍ଛେଦ ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ ବୋଲି ମୁନିଗୁଡା ପୁଲିସ ଆଇଆଇସି ସୁଜ୍ଞାନୀ ସାହୁ ପ୍ରକାଶ କରିଛନ୍ତି। ଉନ୍ନତ ଚିକିତ୍ସା ପାଇଁ ଆହତ ଜଣଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।