ଚିକିତ୍ସାଧୀନ ଅବସ୍ଥାରେ ମାଈ ହାତୀର ମୃତ୍ୟୁ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବନଖଣ୍ଡ କଂସର ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ବିରିଆମ ଗ୍ରାମ ନିକଟରେ ଏକ ନାଳରେ ପଡି ଗୁରୁତର ଥିବା ମାଈ ହାତୀର ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ମୃତ୍ୟୁ ଘଟିଛି। ବନ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ବଡ଼ରମା ଅଭୟାରଣ୍ୟ ପଟୁ ଗତ କିଛି ଦିନ ହେଲା ୧୩ ଟିକିଆ ଏକ ହାତୀ ପଲ ବିରିଆମ ଏବଂ ଆଖପାଖରେ ଅଞ୍ଚଳରେ ଘୁରି ବୁଲୁଥିବା ଏକ ମାଈ ହାତୀ ନାଳ ପାର କରୁଥିବା ସମୟରେ ନାଳରେ ପଡି ଯାଇଥିଲା। ସୂଚନାପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଉଠାଇବାକୁ ଚେଷ୍ଟା କରି ମଧ୍ୟ ସଫଳ ହୋଇ ନଥିଲେ। ତେବେ ନାଳରେ ପାଣି ଥିବାରୁ ହାତୀକୁ ସୁରକ୍ଷା ପ୍ରଦାନ ପାଇଁ ନାଳ ପାଣିର ଗତି ପରିବର୍ତ୍ତନ କରାଇ ଉକ୍ତ ସ୍ଥାନକୁ ଶୁଖିଲା କରି ହାତୀର ଚିକିତ୍ସା ନିମନ୍ତେ ତିଲେଇବଣୀ ପ୍ରାଣୀ ଚିକିତ୍ସକ ଡାକ୍ତର ସତ୍ୟବ୍ରତ ମିଶ୍ର ବନ କର୍ମଚାରୀଙ୍କ ସହ ହାତୀର ଚିକିତ୍ସା ଆରମ୍ଭ କରିଥିଲେ।

ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ ଘଟିଛି। ପରେ ଦେବଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ବନାଞ୍ଚଳ ଅଧିକାରୀ ଦେବବ୍ରତ ନନ୍ଦ ବିଭାଗୀୟ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ମୃତ ହାତୀର ବ୍ୟବଚ୍ଛେଦ କରାଇଥିବା ଜଣାପଡ଼ିଛି।