ଜିଲ୍ଲାରେ ବାଟ ହୁଡିଛି ଟ୍ରାଫିକ୍ ସିଗନାଲ ଜିଲ୍ଲା By Nitidin Last updated Dec 22, 2020 Share ରାୟଗଡ଼ା,ଏନ୍ଏନ୍ଏସ୍: ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ ସରକାର ଆଇନକୁ କଡାକଡି କରିବା ସହ ସହର ଗୁଡିକରେ ଟ୍ରାଫିକ୍ ସିଗନାଲର ବ୍ୟବସ୍ଥା କରିଛନ୍ତି । ହେଲେ ଏହା କେତେଦୂର ଲୋକଙ୍କ କାମରେ ଆସିପାରୁଛି ତାହା ରାୟଗଡ଼ ସହରରେ ଦେଖିଲେ ଜାଣିହେବ। ଶିଳ୍ପୟାନର ସହର ରାୟଗଡ଼ାରେ ଜନସଂଖ୍ୟା ଏକଲକ୍ଷକୁ ଟପିଲାଣି । ଜିଲ୍ଲା ସଦର ମହକୁମା ରାୟଗଡା ଦେଇ ୩୨୬ ନମ୍ବର ଜାତୀୟ ରାଜପଥ ଯାଇଛି । ସବୁବେଳେ ଶହ ଶହ ଭରିଯାନ ସାଙ୍ଗକୁ ଦୁଇ ଚକଆ ଯାନର ଭିଡ଼ ଲାଗିରହୁଛି। ଏହାକୁ ଦେଖି ୨୦୧୨ ମସିହାରେ ସହରର ୯ ଟି ଛକରେ ଟ୍ରାଫିକ ସିଗନାଲ ନିର୍ମାଣ ହୋଇଥିଲା । ସେତେବେଳେ ପୌରସଂସ୍ଥା ୨୮ ଲକ୍ଷ ଟଙ୍କା ବ୍ୟୟ କରିଥିଲା । ଏହାକୁ ତାମିଲନାଡୁର କେଲଟ୍ରୋନ କମ୍ପାନୀ ନିର୍ମାଣ କରିଥିଲା । ହେଲେ ଏହା ନିର୍ମାଣ ହେବାର ମାତ୍ର କିଛି ମାସପରେ ସମ୍ପୁର୍ଣ ଅକାମୀ ହୋଇପଡିଛି । ମଝିରେ ମଝିରେ ଧର୍ମକୁ ଆଖିଠାର ମାରିବା ଭଳି କେବଳ ଗୋଟିଏ ଦୁଇଟି ଛକରେ ଟ୍ରାଫିକ ସିଗନାଲ ବ୍ୟବସ୍ଥାକୁ ସଜାଡି କିଛି ଦିନ କାମ କରିବା ପରେ ଯଥା ପୂର୍ବମ୍ ତଥା ପରମ୍ ରେ ରହିଯାଉଛି । ଆଜକୁ ଦୁଇବର୍ଷ ଧରି ନା ଜଳୁଛି ଟ୍ରାଫିକ ସିଗନାଲ ନା କମୁଛି ଦୁର୍ଘଟଣା । ଏ ସମ୍ପର୍କରେ ରାୟଗଡା ପୌର ସଂସ୍ଥାର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ କହିଛନ୍ତି ଟ୍ରାଫିକ ସିଗନାଲ ଗୋଟିଏ ବୈଷୟିକ ଯନ୍ତ୍ର, ତାର ରକ୍ଷଣାବେକ୍ଷଣ କିମ୍ବା ମରାମତି ପାଇଁ ଏଠାରେ ଆବଶ୍ୟକୀୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ନାହିଁ । ତେଣୁ ଆମେ ଚାହିଁଲେ ମଧ୍ୟ ସଜାଡି ପାରୁନାହୁଁ । ତେବେ ଏଥର ଆମେ ପୁଣିଥରେ ପ୍ରୟାସ କରିବୁ ଯେଭଳି ଶୀଘ୍ର ଟ୍ରାଫିକ ସିଗନାଲ ଗୁଡିକ କାର୍ଯ୍ୟକ୍ଷମ ହୋଇପାରିବ । Share