ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ପୁଲିସକୁ ଆଜି ବଡ଼ ସଫଳତା ମିଳିଛି। ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ମାଓବାଦୀଙ୍କ ଦ୍ୱାରା ମାଟି ତଳେ ପୋତାଯାଇଥିବା ବହୁ ବିସ୍ଫୋରକ ସାମଗ୍ରୀକୁ ପୁଲିସ ଜବତ କରିଛି। ଗୁଇନ୍ଦା ବିଭାଗର ସୂତ୍ରରୁ ଖବର ପାଇବା ପରେ ପୁଲିସ ତଲାସୀ ଅଭିଯାନ ଆରମ୍ଭ କରି ଏହି ବିସ୍ଫୋରକ ଉଦ୍ଧାର କରିଛି। ଏଥିରେ ୨ଟି ଡେଟୋନେଟର, ପ୍ରାୟ ୨୦ କିଲୋ କଡେକ୍ସ ତାର, ୫୦ଟି ଇଲେକଟ୍ରିକ ଡେଟୋନେଟର, ୫୦ ମିଟର ଇଲେକଟ୍ରିକ ତାର, କିଛି ମାଓ ପୋଷାକ, ମାଓ ପତ୍ରିକା ଓ ୭୦ଟି ଆଲୁମିନିୟମ ସୁପରପ୍ଲେନ ଡେଟୋନେଟର ଉଦ୍ଧାର କରାଯାଇଛି। ଏହା ସାଧାରଣ ଜନତା ଓ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ମାଓବାଦୀମାନେ ପୋତି ରଖିଥିବା ସନ୍ଦେହ କରାଯାଉଥିବାବେଳେ ପରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ବୋଲି ମାଲକାନଗିରି ଏସପି ଋିଷିକେଶ ଡି ଖିଲାରୀ ପ୍ରକାଶ କରିଛନ୍ତି। ଏଥିରେ ଏସଡିପିଓ ପ୍ରହ୍ଲାଦ ସହାଇ ମୀନା ଓ ଏଏସପି (ଟ୍ରୋନି) ଅଭିଳାଶ.ଜି ଉପସ୍ଥିତ ଥିଲେ।