ମଧୁବନନଗର ବାଇପାସ୍ ରାସ୍ତା ଅବରୋଧ କଲେ ସ୍ଥାନୀୟଲୋକେ

ଝାରସୁଗୁଡ଼ା, ବ୍ରଜରାଜନଗର: ବିଭିନ୍ନ ଦାବି ନେଇ ସ୍ଥାନୀୟଲୋକେ ଆଜି ବ୍ରଜରାଜନଗର ମଧୁବନ ନଗର ବାଇପାସ ରାସ୍ତା ଅବରୋଧ କରିଥିଲେ। ସେମାନେ ଦାବି କରିଛନ୍ତି ଯେ, ଲଜକୁରା କୋଇଲା ଖଣିରୁ ଗାନ୍ଧୀଛକ ପର୍ଯ୍ୟନ୍ତ ବାଇ ପାସ୍ ରାସ୍ତାରେ ଦିନକୁ ଶହଶହ ମାତ୍ରାରେ କୋଇଲା ବୋଝେଇ ଟ୍ରକ୍ ଯିବା ଆସିବା କରୁଛି। ଫଳରେ ରାସ୍ତାରେ ସବୁ ସମୟରେ କୋଇଲା ଗୁଣ୍ଡ ଓ ଧୂଳି ଉଡ଼ୁ ଥୁବାରୁ ଆଖପାଖ ଅଞ୍ଚଳରେ ଲୋକେ ହଇରାଣ ହେଉଛନ୍ତି। ବାରମ୍ବାର ଖଣି କର୍ତ୍ତୁପକ୍ଷଙ୍କୁ ରାସ୍ତାରେ ପାଣି ଢ଼ାଳିବା ପାଇଁ କହିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ସେହିପରି ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ଯୋଗାଣ, ରାସ୍ତାଘାଟର ମରାମତି ଓ ବିଭିନ୍ନ ଉନ୍ନତମୂଳକ କାର୍ଯ୍ୟ ମଧ୍ୟ ଏମସିଲ ପକ୍ଷରୁ କରାଯାଉନାହିଁ । କୋଇଲା ଖନନ ଯୋଗୁଁ ଧୂଳି ଧୂଆଁ ହେଉଥିବାରୁ ସ୍ଥାନୀୟଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସ୍ଥାନୀୟଲୋକଙ୍କ ସୁବିଧା ପାଇଁ ଏହି ରାସ୍ତାରେ ନିୟମିତ ପାଣି ଛିଞ୍ଚିବା, ପାନୀୟଜଳ ଯୋଗାଣର ବ୍ୟବସ୍ଥା କରିବା, ଅଞ୍ଚଳରେ ଶିକ୍ଷା ର ବିକାଶ, ରାସ୍ତାଘାଟ ନିର୍ମାଣ, ଓ ପରିବେଶକୁ ସଫାସୁତୁରା ରଖିବା ଦିଗରେ ଏମସିଏଲ ପଦକ୍ଷେପ ଗ୍ରହଣକରୁ ବୋଲି ଦେବି ହାଇଛି। ଅନ୍ୟପଟେ ଲଜକୁରା କୋଇଲା ଖଣି କର୍ତ୍ତୃପକ୍ଷ , ବ୍ରଜରାଜନଗର ଟ୍ରକ୍ ସଂଘର ସଭାପତି ଓ ସଦସ୍ୟ ଏବଂ ଓରିଏଣ୍ଟା ଥାନାର ଏଏସଆଇ ପ୍ରକାଶ ଚନ୍ଦ୍ର ଦଳେଇ ଓ ଏସଆଇ ଯୋଷୋବନ୍ତ ବାଘ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲେ । ଏହାସହ ଏମସିଏଲ ଲଜକୁରା ଖଣି କର୍ତ୍ତୃପକ୍ଷ ଆସନ୍ତା ଫେବୃୟାରୀ ମାସ ୨୫ ତାରିଖ ସୁଦ୍ଧା ସ୍ଥାନୀୟ ଅଞ୍ଚଳରେ ପାନୀୟଜଳ ବ୍ୟବସ୍ଥା ଓ ଅଞ୍ଚଳବାସୀଙ୍କ ସମସ୍ତ ଦାବିପୂରଣ ଦିଗରେ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକ ହଟିଥିଲା।