ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କଟ୍ରିକିଆ ଗାଁ ନିକଟସ୍ଥ କସୁବାଲି ଘାଟିରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବାଲିଗୁଡ଼ା ଥାନା ଡେଲାରପଦର ଗ୍ରାମର ହେମନ୍ତ ମଲ୍ଲିକ । ମିଳିଥିବା ରିପୋର୍ଟ ମୁତାବକ, କାମ ସରିବା ପରେ ଟ୍ରାକ୍ଟର ଡ୍ରାଇଭର ଶ୍ରମିକଙ୍କୁ ସେମାନଙ୍କ ଗାଁକୁ ଛାଡ଼ିବାକୁ ଯାଇ ଫେରୁଥିବା ସମୟରେ କସୁବାଲି ଘାଟିରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ଘଟିଥଲା । ଖବର ପାଇ ବାଲିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।