ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ସାମ୍ବାଦିକଙ୍କ ସହ ବିଡିଓଙ୍କ ଆଲୋଚନା

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଥିବାବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ୨୨ଟି ପଞ୍ଚାୟତରେ ସର୍ବମୋଟ ୧,୮୪୨ଟି ହିତାଧିକାରୀଙ୍କ ତାଲିକା ଜାରି କରାଯାଇଛି । ତାଲିକାରେ ଥିବା ହିତାଧିକାରୀଙ୍କ ମଧ୍ୟରୁ ଯଦି କେହି ଅଯୋଗ୍ୟ ବ୍ୟକ୍ତି ସାମିଲ ଥାନ୍ତି ତା’ହେଲେ ପଞ୍ଚାୟତ କିମ୍ୱା ବିଡିଓ କାର୍ଯ୍ୟାଳୟରେ ଥିବା ଅଭିଯୋଗ ବାକ୍ସରେ ଅଭିଯୋଗ କରିବାକୁ ବିଡିଓ ଚନ୍ଦ୍ରମଣି ନାଗ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ଉକ୍ତ ଅଭିଯୋଗକାରୀଙ୍କ ନାମ ଗୋପନ ରଖାଯିବ । ଏଥିସହିତ ଯଦି କେହି ବ୍ୟକ୍ତି ଅଭିଯୋଗ ବାକ୍ସରେ ଅଭିଯୋଗ କରିବାକୁ ଇଚ୍ଛା ନକରନ୍ତି ତା’ହେଲେ ଟୋଲ ଫ୍ରି ନମ୍ବର ୧୫୫୩୩୫ ମାଧ୍ୟମରେ ମଧ୍ୟ ଅଭିଯୋଗ କରିପାରିବେ । ଅନ୍ୟପଟେ ଯଦି କେହି ଆସାଧୁ ବ୍ୟକ୍ତି କିମ୍ୱା କୌଣସି ସରକାରୀ ଅଧିକାରୀ ଆବାସ ଯୋଜନାକୁ ନେଇ ଲାଞ୍ଚ ମାଗୁଛନ୍ତି ତେବେ ବିଡିଓଙ୍କ ନିକଟରେ ଅଭିଯୋଗ କରିବା ପାଇଁ ଶ୍ରୀ ନାଗ ପ୍ରକାଶ କରିଛନ୍ତି ।