ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ବିଜେପି ସମାଜସେବାର ଅନେକ କାର୍ଯ୍ୟକ୍ରମ ଆୟୋଜିତ କରିଛି । ମୋଦୀ ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ନାମୀବିୟାରୁ ଆସିଥିବା ୮ଟି ଚିତାକୁ ଛାଡ଼ିବା ପରେ ମହିଳା ସ୍ୱୟଂ ସହାୟତା ସମୂହର ସମ୍ମିଳନୀରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜନତାଙ୍କୁ ସମ୍ବୋଧନ କରି ମୋଦୀ କହିଛନ୍ତି ଯେ, ଜନ୍ମଦିନ ଅବସରରେ ମୁଁ ଆଜି ମୋ ମା’କୁ ଭେଟି ପାରିଲିନି କିନ୍ତୁ ମୋତେ ଦେଶର ମା’ଙ୍କଠାରୁ ଆଶୀର୍ବାଦ ମିଳିଛି ।
ମୋଦୀ ଆହୁରି କହିଛନ୍ତି ଯେ, ଆଜିର ଦିନରେ ସାଧାରଣତଃ ମୁଁ ମା’ଙ୍କ ପାଖକୁ ଯିବାକୁ ପ୍ରୟାସ କରିଥାଏ ଯଦ୍ୱାରା ମୁଁ ତାଙ୍କ ଆଶୀର୍ବାଦ ନେଇପାରିବି । କିନ୍ତୁ ଆଜି ମା’ଙ୍କ ପାଖକୁ ନ ଯାଇପାରିଲେ ବି ମଧ୍ୟପ୍ରଦେଶର ଆଦିବାସୀ ଅଞ୍ଚଳ ତଥା ଅନ୍ୟ ସମାଜ ଓ ଗାଁ ଗାଁରେ ପରିଶ୍ରମ କରୁଥିବା ଲକ୍ଷାଧିକ ମାତା ମୋତେ ଆଶୀର୍ବାଦ ଦେଇଛନ୍ତି । ଏହି ଦୃଶ୍ୟ ଦେଖିଲେ ମୋ’ ମା’କୁ ନିଶ୍ଚିତ ରୂପେ ସନ୍ତୋଷ ମିଳିବ ।