ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଆଇସୀଆରସୀଟୀସୀ ଘୋଟାଲା ମାମଲାରେ ତେଜସ୍ୱୀଙ୍କ ଜାମିନ ଆବେଦନ ଖାରଜ କରିବା ପାଇଁ ସିବିଆଇ ରାଓସ ଏଭିନ୍ୟୁ କୋର୍ଟ ପହଞ୍ଚିଛି । ତେଜସ୍ୱୀ ଅଧିକାରୀଙ୍କୁ ଧମକାଇଥିବାରୁ ତାଙ୍କ ଜାମିନ ନାମଞ୍ଜୁର କରିବାକୁ ସିବିଆଇ ଦାବି କରିଛି । ଅନ୍ୟପଟେ ସିବିଆଇ ଦାବିକୁ ଦୃଷ୍ଟିରେ ରଖି କୋର୍ଟ ପକ୍ଷରୁ ତେଜସ୍ୱୀଙ୍କୁ ନୋଟିସ ଜାରି କରି ଏହାର ଜବାବ ମଗାଯାଇଛି ।
ଗତ ମାସରେ ପାଟନାରେ ଏକ ପ୍ରେସ କନଫ୍ରେନ୍ସକୁ ସମ୍ବୋଧିତ କରି ତେଜସ୍ୱୀ ଯାଦବ କହିଥିଲେ ଯେ, ସିବିଆଇ ଅଧିକାରୀଙ୍କର କ’ଣ ମା’ ଓ ପିଲାଛୁଆ ନାହାନ୍ତି? ତାଙ୍କର କ’ଣ ପରିବାର ନାହିଁ? ସେମାନେ କ’ଣ ସବୁବେଳେ ସିବିଆଇ ଅଧିକାରୀ ରହିବେ? କ’ଣ ସେବାନିବୃତ ହେବେ ନାହିଁ? ଏହି ପାର୍ଟି କ’ଣ କେବଳ ଶାସନରେ ରହିବ? ଆପଣ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଆପଣମାନେ ସାମ୍ବିଧାନିକ କର୍ତ୍ତବ୍ୟକୁ ଭଲ ଭାବେ ପାଳନ କରନ୍ତୁ ।
ସୂଚନାଯୋଗ୍ୟ, ଆଇଆରସିଟିିସି ଟେଣ୍ଡର ଘୋଟାଲା ମାମଲାରେ ତେଜସ୍ୱୀ ଯାଦବ ୨୦୧୮ରୁ ଜାମିନରେ ଅଛନ୍ତି । ଉକ୍ତ ମାମଲାରେ ସିବିଆଇ ପୂର୍ବରୁ ତେଜସ୍ୱୀ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଧାରା ୪୨୦, ୧୨୦ବି ଓ ଭ୍ରଷ୍ଟାଚାର ନିରୋଧକ ଅଧିନିୟମ ଅନ୍ତର୍ଗତ ଚାର୍ଜସିଟ ଦାଖଲ କରିଛି ।