ମେଣ୍ଢାକୁ ଧକ୍କା ଦେବା ପଡ଼ିଲା ମହଙ୍ଗା

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼-ବେଲଗାଁ ମୁଖ୍ୟ ରାଜପଥ ୫୯ର ତରସିଂହା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଘଟଣାକ୍ରମେ ଏକ ବାଇକ ମେଣ୍ଢାକୁ ଧକ୍କା ଦେଇ ପଡ଼ିବା ଯୋଗୁ ବାଇକରେ ନେଉଥିବା ଗଞ୍ଜେଇ ରାସ୍ତା ଉପରେ ପଡ଼ି ଯାଇଥିଲା। ମିଳିଥିବା ରିପୋର୍ଟ ମୁତାବିକ, କଳାହାଣ୍ଡି ଜିଲ୍ଲା ରାମପୁର ପଟରୁ ନୂଆପଡ଼ା ଜିଲ୍ଲାର ୨ଜଣ ଗଞ୍ଜେଇ ବେପାରି ଏକ ବାଇକରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ତରସିଂହା ଗାଁ ନିକଟରେ ମେଣ୍ଢା ଓ ଆଉ ଗୋଟିଏ ସାଇକେଲକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମେଣ୍ଢାର ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଦ୍ୱୟ ଛିଟିକି ପଡ଼ିଥିଲେ। ଏସମୟରେ ଏକ ବ୍ୟାଗରେ ଭର୍ତ୍ତି ହୋଇଥିବା ଗଞ୍ଜେଇ ରାସ୍ତା ଉପରେ ପଡ଼ି ଯାଇଥିଲା। ଏଥିରେ ୨୦ କେଜିରୁ ଅଧିକ ଗଞ୍ଜେଇ ଥିବା ଆନୁମାନ କରାଯାଉଛି। ଏନେଇ ଗାଁ ଲୋକେ ଟିଟିଲାଗଡ଼ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଓ ଗଞ୍ଜେଇ ବ୍ୟାଗ ସହ ନୂଆପଡ଼ା ଅଞ୍ଚଳର ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ମୁକେଶ ହରିଜନ ନାମକ ଆଉ ଜଣେ ବ୍ୟକ୍ତି ଫେରାର ହେବାରେ ସକ୍ଷମ ହୋଇଛି। ଘଟଣାସ୍ଥଳରେ ତୁରନ୍ତ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି।