ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ଘୋଷଣା କରିଛନ୍ତି। ଏହାଦ୍ୱାରା ୩୩ ପ୍ରତିଶତରୁ ଅଧିକ କ୍ଷତି ସହିଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଇନପୁଟ ସବସିଡି ମିଳିବ। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ସବସିଡି ୬,୮୦୦ ଟଙ୍କା ମିଳିବ। ଜଳସେଚିତ ଜମି ପାଇଁ ହେକ୍ଟରକୁ ୧୩,୫୦୦ ଟଙ୍କା ଦିଆଯିବ। ବାରମାସୀ ଫସଲ ଜମି ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ମିଳିବ। ବାରମାସୀ ଫସଲ ପାଇଁ ସର୍ବନିମ୍ନ ୨ ହଜାର, ଅନ୍ୟ ଫସଲ ପାଇଁ ହଜାରେ ଟଙ୍କା ମିଳିବାକୁ ଯାଉଛି। ସେହିପରି ଧାଡ଼ି ବୁଣା କରୁଥିବା ଚାଷୀଙ୍କୁ ହେକ୍ଟର ପିଛା ୧୫ଶହ ଟଙ୍କା ମିଳିବ। ପମ୍ପସେଟ କିଣିବାକୁ ସର୍ବାଧିକ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯିବ। ପାୱାର ସ୍ପ୍ରେୟର ପାଇଁ ୩,୮୦୦ ଓ ହାତଚଲା ସ୍ପ୍ରେୟର ପାଇଁ ୭୫୦ ଟଙ୍କାର ରିହାତି ମିଳିବାକୁ ଯାଉଛି। ଲୁଣି ପାଣି ମାଡ଼ି ଯାଇଥିବା ଭଦ୍ରକ, ବାଲେଶ୍ୱର ପାଇଁ ସ୍ୱତନ୍ତ୍ର ସହାୟତା ଯୋଗାଯିବ। ଜମିରେ ଲୁଣା ହଟାଇବାକୁ ହେକ୍ଟର ପିଛା ୭୫୦ ଟଙ୍କା ମିଳିବ। ପାନ ବରଜ କରିଥିବା ୧୨୫ ଚାଷୀଙ୍କୁ ଜଣ ପିଛା ୧୫ ହଜାର ଟଙ୍କା ଦିଆଯିବ। କ୍ଷତିଗ୍ରସ୍ତ ୫୦ ଛତୁ ଚାଷ ୟୁନିଟକୁ ୪୦ ହଜାର ଟଙ୍କା ଲେଖାଏଁ ମିଳିବ। ୧୧୦ ଟଙ୍କା ବିଶିଷ୍ଟ ୧୦ ହଜାର ପରିବା ମିନିକିଟ୍ ମାଗଣାରେ ମିଳିବ। ୩୩ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କ ସ୍ୱଳ୍ପ ମିଆଦୀ ଋଣ ମଧ୍ୟମ ମିଆଦୀ ହେବ। ଦୁଧିଆଳି ଗାଈ ଓ ମଇଁଷି ପାଇଁ ୩୦ ହଜାର ଲେଖାଏଁ ସହାୟତା ମିଳିବ। ଗୋରୁ ଓ ବଳଦଙ୍କ ପାଇଁ ୨୫ ହଜାର, ବାଛୁରୀ ୧୬ ହଜାର, ଛେଳି ଓ ମେଣ୍ଢା ୩ ହଜାର ଓ କୁକୁଡ଼ା ଗୋଟିକୁ ୫୦ ଟଙ୍କା ମିଳିବ। ବାତ୍ୟାରେ ଭାଙ୍ଗି ଯାଇଥିବା ଗୁହାଳ ପୁନଃନିର୍ମାଣ ପାଇଁ ୨୧ଶହ ଟଙ୍କା ମିଳିବ। ପୂରା ଭାଙ୍ଗିଥିବା ଡଙ୍ଗା ପାଇଁ ୯,୬୦୦, ଆଂଶିକ ଲାଗି ୪୧ଶହ ଟଙ୍କା ମିଳିବ। ହସ୍ତତନ୍ତ ଉପକରଣ ଓ କଞ୍ଚା ମାଲ ପାଇଁ ୪୧ଶହ ଟଙ୍କା ମିଳିବ ବୋଲି ଜଣାପଡ଼ିଛି।