ବିରିଡ଼ି,ଏନ୍ଏନ୍ଏସ୍: ନଭେମ୍ବର ୩ ତାରିଖରେ ହେବାକୁ ଯାଉଥିବା ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ପ୍ରଥମେ କଂଗ୍ରେସ ଦଳ ରଣକୌଶଳକୁ ଜୋରଦାର କରିଛି । ଏହି ପରିପ୍ରେକ୍ଷୀରେ ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ତଥା ଦଳର ରାଜ୍ୟ ପ୍ରଭାରୀ ଡ. ଏ ଚେଲ୍ଲା କୁମାର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିରିଡ଼ି ବ୍ଲକ ଅଣଖିଆଠାରେ ପହଞ୍ଚି ବିରିଡ଼ି, ରଘୁନାଥପୁର, ତିର୍ତ୍ତୋଲ ବ୍ଲକର ଛାମୁଆ ନେତା ଓ କର୍ମୀଙ୍କ ସହ ପୃଥକ ପୃଥକ ଆଲୋଚନା କରିଥିଲେ । ଉପନିର୍ବାଚନରେ ଦଳ କିଭଳି ଏକାଠି ହୋଇ ଦଳ ପାଇଁ କାମ କରିବ ଓ ବିଜୟ ହାସଲ କରିବ ସେ ନେଇ ସେ ଆଲୋଚନା କରିଥିଲେ । ଶ୍ରୀ କୁମାର କହିଥିଲେ ଭାରତରେ କଂଗ୍ରେସ ସରକାର ଭିତ୍ତିଭୂମିର ବିକାଶ କରିବା ସହ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଜଳସେଚନର ସୁବିଧା, ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ସେହିଭଳି କଂଗ୍ରେସ ସରକାର ଶ୍ରମିକଙ୍କୁ କାମ ଯୋଗାଇ ଦେବା ପାଇଁ କଳ କାରଖାନା ଗଢ଼ି ଉଠି ଥିଲା । ସେହିପରି ଓଡ଼ିଶାରେ ମଧ୍ୟ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବସନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ବହୁ ଉନ୍ନତି ହୋଇଥିଲା । ସେ ସମୟରେ ଓଡ଼ିଶାରେ ଗଢିଉଠିଥିବା ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ଓ ଖଣି ଖାଦାନରେ ଶ୍ରମିକ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ସେଗୁଡ଼ିକ ବନ୍ଦ କରିଦେବାରୁ ଲୋକେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି । ତେଣୁ ପୁଣି କଂଗ୍ରେସ କ୍ଷମତାକୁ ଫେରିଲେ କଳକାରଖାନା ଗଢ଼ି ଉଠିବା ସହ ଶ୍ରମିକ ନିଯୁକ୍ତିକୁ ପ୍ରାଥମିକତା ଦେଇ ସେମାନଙ୍କ ଉନ୍ନତି କରାଯିବ ବୋଲି ସେ କହିଥିଲେ ।
ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ, ରାଜ୍ୟ କଂଗ୍ରେସ ମୁଖପାତ୍ର ଗଣେଶ୍ୱର ବେହେରା, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଅନ୍ୟତମ ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ରାଜ୍ୟ ମିଡିଆ ସେଲର ଆବାହକ ଅଭିଷେକ ମହାନନ୍ଦ, ବାଲିକୁଦାର ବରିଷ୍ଠ ନେତା ଲଲାଟେନ୍ଦୁ ମହାପାତ୍ର, ସମାଜସେବୀ ଇଂ ହିମାଂଶୁ ମଲ୍ଲିକ, ବିରିଡି ବ୍ଲକ ଅଧ୍ୟକ୍ଷ ପଦ୍ମନାଭ ଭୋଇ, ବନ୍ଦିତା ପରିଡା, ପ୍ରତିମା ମଲ୍ଲିକ, ଦେବୀ ପ୍ରସାଦ ମଲିକ ପ୍ରମୁଖ ସାମିଲ ହୋଇଥିଲେ । ବରିଷ୍ଠ କଂଗ୍ରେସ ନେତା ଲିଙ୍ଗରାଜ ମଲ୍ଲଙ୍କ ଆବାହକତ୍ୱରେ ଆୟୋଜିତ ଆଜିର ଏହି କଂଗ୍ରେସ କର୍ମୀ ସମାବେଶରେ ବିରିଡ଼ି ଓ ତିର୍ତ୍ତୋଲ ବ୍ଲକର ବହୁ କର୍ମୀ ଓ ନେତାଙ୍କ ସହ ସେ ଆଲୋଚନା କରିଥିଲେ ଓ ଦଳୀୟ ସମସ୍ୟା ପଚାରି ବୁଝିଥିଲେ । ସମସ୍ୟାଗୁଡ଼ିକ ସମାଧାନ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା କରିଥିଲେ ଚେଲ୍ଲା କୁମାର ।