ଗଞ୍ଜାମ ମଡେଲ୍‌କୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଶଂସା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଗଞ୍ଜାମ ମଡେଲ୍ ବିଶ୍ୱରେ ପ୍ରଶଂସିତ ହୋଇଛି । ଗଞ୍ଜାମ ଜିଲ୍ଲାରେ କରୋନାକୁ ମାତ୍ ଦେବା ପାଇଁ ରାଜ୍ୟ ସରକାର ଯେଉଁ ମଡେଲ୍ ଆପଣାଇଥିଲେ, ତାହା ବେଶ୍ ସଫଳ ହୋଇଛି । ଏହି ମଡେଲକୁ ଏବେ ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରଶଂସା କରିଛି ।

କରୋନାକୁ ସଫଳ ଭାବେ ନିୟନ୍ତ୍ରଣ କରାଯାଇପାରେ, ତାହା ଓଡ଼ିଶାର ଗଞ୍ଜାମ ଓ ମହାରାଷ୍ଟ୍ରର ଧରାବୀରୁ ଶିଖିବା ଦରକାର ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କହିଛି । ସଂକ୍ରମଣ ରୋକିବା ପାଇଁ ଛୋଟ ଛୋଟ ଅଞ୍ଚଳ ପ୍ରତି ଧ୍ୟାନ ଦେବା ଦରକାର ବୋଲି ଗଞ୍ଜାମ ଜିଲ୍ଲା ଓ ଧରାବୀ ବସ୍ତିର ଉଦାହରଣ ଦେଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କହିଛି । କରୋନା ସଂକ୍ରମଣ ନେଇ ୩୧୦ଟି ସହର ଉପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଧ୍ୟୟନ କରାଯାଇଥିଲା । ବିଶ୍ୱବିଦ୍ୟାଳୟ ପକ୍ଷରୁ କୁୁହାଯାଇଛି ଯେ, ଗଞ୍ଜାମ ଓ ଧରାବୀରେ ହଜାର ହଜାର ଲୋକ ସଂକ୍ରମିତ ହୋଇଥିଲେ । କିନ୍ତୁ ଆଜି ଏଠାରେ ୨ ଶହରୁ ବି କମ୍ ରୋଗୀ ଅଛନ୍ତି । ଗଞ୍ଜାମ ଜିଲ୍ଲା ଓ ଧରାବୀ ବସ୍ତି ମଡେଲ୍‌ରୁ ଅନେକ କିଛି ଶିଖିହେବ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦର୍ଶାଇଛି ।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟୟନରେ ଦର୍ଶାଯାଇଛି ଯେ, ଗଞ୍ଜାମ ଜିଲ୍ଲାରେ ମେ’ ଦୁଇ ତାରିଖରେ କରୋନାର ପ୍ରଥମ ମାମଲା ଆସିଥିଲା । ଅଗଷ୍ଟ ମାସରେ ରୋଗୀ ସଂଖ୍ୟା ୫୯ ପ୍ରତିଶତ ହୋଇଯାଇଥିଲା । କିନ୍ତୁ ବିଭିନ୍ନ ଉପାୟ ଦ୍ୱାରା ରୋଗୀ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ କରାଯାଇପାରିଥିଲା । ଗଞ୍ଜାମରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଜ୍ୟର ନବୀନ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପର ଉଦାହରଣ ଦେଇଛି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ । ସଂକ୍ରମଣ ନିୟନ୍ତ୍ରଣ ପାଇଁ ଗଞ୍ଜାମ ସମେତ ସବୁ ଜିଲ୍ଲାରେ ସରପଞ୍ଚମାନଙ୍କୁ ଅଧିକ କ୍ଷମତା, ସବୁ ଗାଁରେ କୋଭିଡ ପରିଚାଳନା କମିଟି ଭଳି ଉଦାହରଣ ଦେଇଛି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ।

ଓଡ଼ିଶାର ଗଞ୍ଜାମ ଜିଲ୍ଲା ପରି ମହାରାଷ୍ଟ୍ରରେ ଥିବା ଏସିଆର ସବୁଠାରୁ ବଡ଼ ବସ୍ତି ଧରାବୀରେ ବି କରୋନା ମୁକାବିଲା ନେଇ ନିଆଯାଇଥିବା ସଫଳ ପଦକ୍ଷେପ ସଂପର୍କରେ ମଧ୍ୟ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟୟନ ରିପୋର୍ଟରେ ସ୍ଥାନ ପାଇଛି । ସୂଚନାଯୋଗ୍ୟ ଯେ, ଉଭୟ ଗଞ୍ଜାମ ଓ ଧରାବୀ ମଡେଲ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ବି ଉଚ୍ଚ ପ୍ରଶଂସିତ ହୋଇପାରିଛି ।