୧.୩୧ କୋଟି ଟଙ୍କାର ଋଣ ଜାଲିଆତି ଘଟଣା, ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ୫ ଜଣଙ୍କୁ ୧୪ ବର୍ଷ ଜେଲ

ବାରିପଦା,ଏନ୍‌ଏନ୍‌ଏସ୍‌: ଜଳନିଧି ଯୋଜନା ଋଣ ଜାଲିଆତି ମାମଲାର ବିଚାର କରି ଅଭିଯୁକ୍ତ ଝାରପୋଖରୀଆ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ପୂର୍ବତନ ମ୍ୟାନେଜର ଗିରିଜା ଶଙ୍କର ମିଶ୍ର, ଫିଲ୍‌ଡ ଅଫିସର ସତ୍ୟରୁପା ମହାନ୍ତି, ପାଣି ପମ୍ପ ସପ୍ଲାୟର ବଙ୍ଗାଳୀ ଜେନା, ବଙ୍ଗାଳୀଙ୍କ ପୁଅ ସୁଶାନ୍ତ ଜେନା ଏବଂ ପାଣି ପମ୍ପ କମ୍ପାନୀର ଏଜେଣ୍ଟ ସତ୍ୟାନନ୍ଦ ପାତ୍ରଙ୍କୁ ବାରିପଦା ଚିଫ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ବିକାଶ ଚନ୍ଦ୍ର ଦେ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋଷୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ ଧାରା -୧୬୭, ୪୬୭, ୪୬୮, ୪୭୧, ୪୦୬, ୪୦୯, ୪୨୦ ଓ ୧୨୦ ଅନୁସାରେ ପ୍ରତ୍ୟେକଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୭ ଲକ୍ଷ ଟଙ୍କା ଅର୍ଥଦଣ୍ଡର ରାୟ ଶୁଣାଇଛନ୍ତି ।

ଏଥିସହିତ ଆଜି ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ୨୦୧୨-୧୩ ଆର୍ଥିକ ବର୍ଷରେ ଝାରପୋଖରୀଆସ୍ଥିତ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରେ ଓଡ଼ିଶା ସରକାରଙ୍କ ଜଳନିଧି ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ସବସିଡିରେ ପାଣିପମ୍ପ ଋଣ ଯୋଗାଇ ଦିଆଯାଇଥିଲା । ସେହି ସମୟରେ ୧୩୧ ଜଣ କୃଷକଙ୍କ ନାମରେ ଜାଲ କାଗଜପତ୍ର ପ୍ରସ୍ତୁତ କରାଯାଇ ୧.୩୧ କୋଟି ଟଙ୍କାର ଜାଲିଆତି କରାଯାଇ ଅର୍ଥ ହେରଫେର୍ ହୋଇଥିଲା । ନୂଆ ମ୍ୟାନେଜର ଭାବେ ଗିରିଜା ଚକ୍ରବର୍ତ୍ତୀ ଦାୟିତ୍ୱ ନେବା ପରେ ଏହା ଧରାପଡ଼ିଥିଲା ଏବଂ ଏହାକୁ ନେଇ ଅଭିଯୁକ୍ତମାନଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

ଋଣ ଜାଲିଆତି ଏକ କୋଟି ଟଙ୍କାରୁ ଅଧିକ ହୋଇଥିବାରୁ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ କରି ଚାର୍ଜସିଟ ଦାଖଲ କରିଥିଲେ । ଉକ୍ତ ମାମଲାରେ ଥିବା ମୋଟ ୩୧ ଜଣ ସାକ୍ଷୀଙ୍କ ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତିକରି ଅଦାଲତ ପକ୍ଷରୁ ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଥିଲା ।