ଶିକ୍ଷକ ନିଯୁକ୍ତି ଦାବୀରେ ଟିଙ୍କବୀର ଉଚ୍ଚ ବିଦ୍ୟାଳୟରେ ତାଲା

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ଅନ୍ତର୍ଗତ ଟିଙ୍କବୀର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ କେନ୍ଦ୍ର କରି ତାଲା ପକାଇଲେ ଅଭିଭାବକ। ଉକ୍ତ ବିଦ୍ୟାଳୟରେ ପିସିଏମ, କମ୍ପ୍ୟୁଟର, ସାହିତ୍ୟ, ଇତିହାସ ଓ ଭୂଗୋଳ ବିଭାଗରେ ଶିକ୍ଷକ ନଥିବାରୁ ପାଠପଢ଼ାରେ ସମସ୍ୟା ଦେଖା ଦେଉଥିବାରୁ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି। ପ୍ରାପ୍ତ ସୂଚନାନୁସାରେ, ଆଜିକୁ ୨ବର୍ଷ ତଳେ ବିଦ୍ୟାଳୟ ପିସିଏମ ଶିକ୍ଷକ ଅଭାବ ଯୋଗୁ ଦୀର୍ଘ ୨୩ଦିନ ଧରି ବିଦ୍ୟାଳୟରେ ତାଲା ପଡ଼ିବା ଯୋଗୁ ରଞ୍ଜନ କୁମାର ପ୍ରଧାନଙ୍କୁ ଅବସ୍ଥାପିତ କଲା ପରେ ବିଦ୍ୟାଳୟରେ ପାଠପଢ଼ା ସୁରୁଖୁରୁରେ ଚାଲିଥିଲା। ପୁଣି ରଞ୍ଜନ କୁମାର ସାହୁଙ୍କୁ ଅନ୍ୟତ୍ର ବଦଳି କରାଯାଇ ନିବେଦିତା ସାହୁଙ୍କୁ ଅବସ୍ଥାପିତ କରାଯାଇଥିଲା। ପରେ ଦେବଗଡ଼ ଜିଲ୍ଲା ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ବେହେରା ଗତ ୭ଦିନ ତଳେ କୁଣ୍ଢେଇଗୋଳା ଉଚ୍ଚ ବିଦ୍ୟାଳୟରୁ ନିବେଦିତା ସାହୁଙ୍କୁ କୁଣ୍ଢେଇଗୋଳା ବଦଳି କରିଥିଲେ। ପିସିଏମ ଶିକ୍ଷକ ଅଭାବ କାରଣରୁ ପାଠପଢ଼ା ହୋଇପାରିବ ନାହିଁ ବୋଲି ପ୍ରଧାନଶିକ୍ଷକ ଜଗବନ୍ଧୁ ରଣା ଚିଠି ନଂ-୮୩, ଗତ ୨୮ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ ପତ୍ର ଦେବା ସହିତ ବିଦ୍ୟାଳୟ ସଂପର୍କରେ ଅବଗତ କରିଥିଲେ। କୁଣ୍ଢେଇଗୋଳା ଉଚ୍ଚ ବିଦ୍ୟାଳୟ ୨ଜଣ ପିସିଏମ ଶିକ୍ଷକ ଥିବାବେଳେ ପୁନର୍ବାର ନିବେଦିତା ସାହୁଙ୍କୁ ଜିଲ୍ଲା ଶିକ୍ଷାଧିକାରୀ କିପରି ଅବସ୍ଥାପିତ କଲେ ବୋଲି ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଅନ୍ୟପଟେ ସାହିତ୍ୟ, ଇତିହାସ, ଭୂଗୋଳ ବିଭାଗରେ ୨ବର୍ଷ ହେବ ଶିକ୍ଷକ ଅଭାବ ଯୋଗୁ ଖେଳ ଶିକ୍ଷକ ଶ୍ରଦ୍ଧାକର ପ୍ରଧାନ ପାଠ ପଢ଼ାଉଛନ୍ତି। ଖେଳ ଶିକ୍ଷକ ଏପରି ଗୁରୁତ୍ୱପୂର୍ଣ୍ଣ ବିଷୟରେ କିପରି ପାଠ ପଢ଼ାଉଛନ୍ତି ତାହା ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି। ଏ ବାବଦରେ ବିଦ୍ୟାଳୟର ଶିକ୍ଷା କମିଟୀ ଜିଲ୍ଲା ଶିକ୍ଷାଧିକାରୀ ଓ ବିଧାୟକଙ୍କୁ ଅବଗତ କଲା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ୧୦ ଘଟିକା ସମୟରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇଥିଲେ। ଯଦି ଆଗାମୀ ଦିନରେ ଉକ୍ତ ବିଷୟରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆନଯାଏ ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଶିକ୍ଷା କମିଟୀ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।