ବଢ଼ିଲା ବାୟୁସେନାର ଶକ୍ତି: ଦେଶର ପ୍ରଥମ ‘ଏମରଜେନ୍ସୀ ଲ୍ୟାଣ୍ଡିଂ ଫିଲ୍ଡ’ ଉଦଘାଟିତ

ବାଡ଼ମେର: ରାଜସ୍ଥାନର ବାଡ଼ମେର ହାଇୱେରେ ଭାରତୀୟ ବାୟୁସେନାର ବିମାନ ପାଇଁ ପ୍ରସ୍ତୁତ ହୋଇଥିବା ଦେଶର ପ୍ରଥମ ‘ଏମରଜେନ୍ସୀ ଲ୍ୟାଣ୍ଡିଂ ଫିଲ୍ଡ’ ଉଦଘାଟିତ ହୋଇଯାଇଛି।  ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିବା ‘ଏମରଜେନ୍ସୀ ଲ୍ୟାଣ୍ଡିଂ ଫିଲ୍ଡ’ର ଉଦଘାଟନ ସି-୧୩୦ ଜେ ହରକ୍ୟୁଲିସର ଏମରଜେନ୍ସୀ ଲ୍ୟାଣ୍ଡିଂ ଡ୍ରିଲରେ ହୋଇଛି। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ  ରାଜନାଥ ସିଂହ, ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ, ମୁଖ୍ୟ ରକ୍ଷା ଅଧ୍ୟକ୍ଷ ଜେନେରାଲ ବିପିନ ରାୱତ ଓ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୋରିୟା ଉପସ୍ଥିତ ଥିଲେ। ଏଥିସହିତ ୨ ନେତା ଆପତକାଳୀନ ଲ୍ୟାଣ୍ଡିଂ ଉପରେ ଅନେକ ବିମାନର ସଂଚାଳନ ଦେଖିଥିଲେ।

ଆନୁଷ୍ଠାନିକ ବୟାନ ଅନୁସାରେ, ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧୀକରଣ ଭାରତୀୟ ବାୟୁସେନାର ଜରୁରୀକାଳୀନ ସ୍ଥିତିରେ ବିମାନ ଅବତରଣ କରିବା ପାଇଁ ଏନଏଚ-୯୨୫ଏର ସଟ୍ଟା ଗନ୍ଧବ ଖଣ୍ଡର ୩ କିମି ଅଂଶରେ ‘ଇଏଲଏଫ’ର ନିର୍ମାଣ କରାଯାଇଛି। ଏହି ସୁବିଧା ଭାରତମାଳା ପରିଯୋଜନା ଅନ୍ତର୍ଗତ ଗଗରିୟା -ବଖାସର ଓ ସଟ୍ଟା ଗନ୍ଧବ ଖଣ୍ଡର ନୂଆ ବିକଶିତ ‘ଟୁ-ଲେନ ପେଭଡ ସୋଲ୍ଡର’ର ଅଂଶ। ଯେଉଁ ରାସ୍ତାରେ ବାହନ ନିୟମିତ ରୂପେ ଯାତାୟତ କରିଥାଏ ତାହାକୁ ‘ଟୁ-ଲେନ ପେଭଡ ସୋଲ୍ଡର’ କୁହାଯାଇଥାଏ।