ଦୁଇ ଅନ୍ତରାଜ୍ୟ ଚେନ ଲୁଟେରା ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଦୁଇ ଅନ୍ତରାଜ୍ୟ ଚେନ ଲୁଟେରାକୁ ଝାରସୁଗୁଡ଼ା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ଜଗତସିଂହପୁରର ବିକ୍ରମ ବିଶ୍ୱାଳ(୩୫) ଏବଂ ଢେଙ୍କାନାଳର ଅଜୟ ବେହେରା(୪୬) ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଅଭିଯୁକ୍ତମାନେ ଗତକାଲି ଓପିଏମର ମିଲିନ ମାର୍କେଟ ନିକଟରେ ବୈଜୟନ୍ତୀ ପଟେଲଙ୍କୁ ଝାରସୁଗୁଡ଼ା ଟାଉନର ରାସ୍ତା ପଚାରିବା ବାହାନାରେ ଅଟକାଇଥିଲେ। ଆଉ ସୁଯୋଗ ଦେଖି ସେ ପିନ୍ଧିଥିବା ସୁନା ଚେନକୁ ଲୁଟ କରି ଫେରାର ହୋଇଯାଇଥିଲେ। ପୁଲିସ ଏନେଇ ଖବର ପାଇବା ପରେ ତୁରନ୍ତ ଆଖପାଖର ସିସିଟିଭି ଯାଞ୍ଚ କରିବା ସହ ସରବାହାଲ ରେଲୱେ କ୍ରସିଂ ନିକଟରୁ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂର୍ବରୁ ଏହି ଅଭିଯୁକ୍ତମାନେ ରାଜ୍ୟର ବଭିନ୍ନ ସ୍ଥାନରେ ଲୁଟ କରିବା ସହ ତାଙ୍କ ବିରୋଧରେ ଅନେକ ଥାନାରେ ମାମଲା ରୁଜୁ ହୋଇଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଛନ୍ତି।