ତିଳେଇବଣି ଫାଣ୍ଡି କୋଠା ଲୋକାର୍ପିତ

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଥାନା ଅନ୍ତର୍ଗତ ତିଳେଇବଣି ବ୍ଲକ ମୁଖ୍ୟାଳୟଠାରେ ବହୁ ପ୍ରତିକ୍ଷୀତ ଫାଣ୍ଡି କୋଠା ଉଦଘାଟିତ ହୋଇଯାଇଛି। ଏକଦା ମାଓ ଉପଦୃତ ଏହି ଅଂଚଳରେ ଏକ ଅସ୍ଥାୟୀ ଗୃହରେ ଫାଣ୍ଡି ଖୋଲାଯାଇ ଅଂଚଳର ଜନସାଧାରଣଙ୍କୁ ପୁଲିସ ସେବା ଯୋଗାଇ ଦିଆଯାଉ ଥିଲା। ପରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଟଙ୍କା ମଞ୍ଜୁର ହେବା ପରେ ଏବେ ଉକ୍ତ ଅଂଚଳରେ ଏକ ସ୍ଥାୟୀ ଫାଣ୍ଡି କୋଠା ନିର୍ମାଣ କରାଯାଇଛି। ଆଉ ଗତକାଲି ଅପରାହ୍ନରେ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ଡା. ସାର୍ଥକ ଷଡ଼ଙ୍ଗୀ ନବନିର୍ମିତ ଫାଣ୍ଡି କୋଠାକୁ ଫିତା କାଟି ଉଦଘାଟନ କରିଥିଲେ। ନୂତନ ଫାଣ୍ଡି କୋଠା ଲୋକାର୍ପଣ ହେବା ପରେ ଅଂଚଳରେ ପୁଲିସ ସେବା ଲୋକଙ୍କୁ ସୁବିଧାରେ ମିଳିପାରିବ ବୋଲି ମତପ୍ରକାଶ କରିବା ସହ ନିଯୁକ୍ତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ଅଞ୍ଚଳବାସୀଙ୍କ ପାଇଁ ଉତ୍ସାହ ସହକାରେ କାର୍ୟ୍ୟ କରିବାକୁ ଶ୍ରୀ ଷଡ଼ଙ୍ଗୀ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦେବଗଡ଼ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମାହାନ୍ତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବି ନାରାୟଣ ସି, ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଦେବଗଡ଼ ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର, ତିଳେଇବଣି ଫାଣ୍ଡି ଅଧିକାରୀ ଚୈତନ୍ୟ ଗଡ଼ନାୟକ, ତିଳେଇବଣି ବ୍ଲକ ଅଧ୍ୟକ୍ଷ ସୁବାସିନୀ ଦେହୁରୀ, ତିଳେଇବଣି ସରପଞ୍ଚ ଶୁକୃ ମୁଣ୍ଡା ଓ ଦୁଧିଆନାଳି ସମିତି ସଦସ୍ୟ ଶ୍ୱେତ କୁମାର ପ୍ରଧାନଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।