ଓପିଜିସିର ୪ଟି ୟୁନିଟରୁ ବିଦ୍ୟୁତ ଉତ୍ପାଦନ ୧୩୭୪ ମେଗାୱାଟ ଛୁଇଁଲା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବନହରପାଲିସ୍ଥିତ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ର ଇବ ଥର୍ମାଲ ପାୱାର ଷ୍ଟେସନରୁ ଆଜି ୧୩୭୪ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଥିବା ଜଣାପଡ଼ିଛି। ଆଜି ସକାଳ ୬ଟାରେ ମିଳିଥିବା ତଥ୍ୟ ଅନୁସାରେ, ଓପିଜିସିର ୟୁନିଟ ୧ ଏବଂ ୟୁନିଟ ୨ରୁ ଯଥାକ୍ରମେ ୧୮୯ ଏବଂ ୧୮୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଛି। ସେହିପରି ୟୁନିଟ ୩ରୁ ୪୦୫ ଏବଂ ୟୁନିଟ ୪ରୁ ୬୦୦ ମେଗାୱାଟ ଉତ୍ପାଦନ ହୋଇଛି। ଗତ କିଛି ମାସ ଧରି ଆସ ହେଣ୍ଡେଲିଙ୍ଗ ପ୍ଲାଣ୍ଟ ସମସ୍ୟା ଦେଇ ଗତି କରୁଥିବା ୟୁନିଟ ୩ ଓ ୟୁନିଟ ୪ରୁ ବିଦ୍ୟୁତ ଉତ୍ପାଦନ ଆଶାନୁରୂପ ହୋଇପାରିନଥିଲା। ତେବେ ଓପିଜିସିର ଅଭିଜ୍ଞ ଯନ୍ତ୍ରୀ ଓ ସରକାରଙ୍କ ଉଦ୍ୟମ ଫଳରେ ୟୁନିଟ ଦ୍ୱୟର ଅବସ୍ଥା ସୁଧୁରିଛି।

ପ୍ରକାଶଯୋଗ୍ୟ, ଗ୍ରୀଡକୋ ସହିତ ଓପିଜିସି ୟୁନିଟ ୩ ଏବଂ ୪ ତରଫରୁ ପିପିଏ (ପାୱାର ପରଚେଜ ଏଗ୍ରୀମେଣ୍ଟ) ୯୨୮ ମେଗାୱାଟ ରହିଛି। ତେଣୁ ଓପିଜିସି ମ୍ୟାନେଜମେଣ୍ଟ ଏହି ୨ ୟୁନିଟରୁ ଉତ୍ପାଦିତ ହେଉଥିବା ବଳକା ବିଦ୍ୟୁତ ଖୋଲା ବଜାରରେ ବିକ୍ରି କରିବା ବ୍ୟବସ୍ଥା ମଧ୍ୟ କରୁଛି। ଏହି ବ୍ୟବସ୍ଥା ଦ୍ୱାରା ରାଜ୍ୟକୁ ଅଧିକ ରାଜସ୍ୱ ଆସିବାର ଆଶା ସଞ୍ଚାର ହୋଇଛି।