ଭାରତୀୟ ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରାକୁ ଦେବଗଡ଼ରେ ବିପୁଳ ସମର୍ଥନ

ଦେବଗଡ଼,ଏନ୍ଏନ୍ଏସ୍: ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଭାରତ ବନ୍ଦ ଡାକରା ପ୍ରଭାବ ଆଜି ଦେବଗଡ଼ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ଆଜି ସକାଳୁ ଦେବଗଡ଼ ଜିଲ୍ଲା ବାଣିଜ୍ୟ ସଙ୍ଘ ସଭାପତି ଉମା ଶଙ୍କର ସାହୁଙ୍କ ନେତୃତ୍ୱରେ ବ୍ୟବସାୟୀମାନେ ନିଜ ନିଜ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିଥିଲେ। ଏଥିସହ କେନ୍ଦ୍ର ସରକାରଙ୍କ ବ୍ୟବସାୟୀ ମାରଣ ନୀତିକୁ ଦୃଢ଼ ବିରୋଧ କରିଥିଲେ। ବ୍ୟବସାୟୀଙ୍କ ବନ୍ଦ ଡାକରାକୁ ସମର୍ଥନ ଜଣାଇ ଆଜି ସମସ୍ତ ଯାତ୍ରୀବାହୀ ବସ ଓ ଅନ୍ୟାନ୍ୟ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ବ୍ୟବସାୟୀଙ୍କ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ରହିଥିବା ବେଳେ ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ବଳ ମୁତୟନ କରାଯାଇଛି। ପୂର୍ବାହ୍ଣରେ ବଣିକ ସଙ୍ଘ ସଭାପତି ଶ୍ରୀ ସାହୁଙ୍କ ନେତୃତ୍ୱରେ ବହୁ ବ୍ୟବସାୟୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଏହି ସ୍ମାରକ ପତ୍ରରେ ଜିଏସଟି ସରଳୀକରଣ ସମେତ ଅନ୍ୟାନ୍ୟ ଦାବି ଉଲ୍ଲେଖ ରହିଥିବା ବେଳେ କେନ୍ଦ୍ର ସରକାର ବ୍ୟବସାୟୀଙ୍କ ଦାବିକୁ ଯଥା ଶୀଘ୍ର ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି। ସ୍ମାରକ ପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସୁବାସ ଚନ୍ଦ୍ର ଭୋଇ, ଗୋପାଳ ଗୋଏଲ, ପ୍ରଭାତ ସାହୁ, ଶ୍ରବଣ ଅଗ୍ରୱାଲଙ୍କ ସମେତ ବହୁ ବ୍ୟବସାୟୀ ଉପସ୍ଥିତ ଥିଲେ।