ଆଠଗଡ଼ ଶେଷ ରାଣୀ ରାସ ମଞ୍ଜରୀ ଦେବୀଙ୍କ ପରଲୋକ, ଆଜି ହେବ ଶେଷକୃତ୍ୟ

କଟକ,ଏନ୍‌ଏନ୍‌ଏସ୍‌: ଭାରତ ବର୍ଷର ଶେଷ ସ୍ବାଧୀନ ରାଣୀ ରାସମଞ୍ଜରୀ ଦେବୀଙ୍କ ପରଲୋକ । ରବିବାର ସନ୍ଧ୍ୟାରେ ତିଗିରିଆସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ରାଜାଶାସନର ଶେଷ ରାଣୀ ତଥା ଆଠଗଡର ପୂର୍ବତନ ବିଧାୟିକା ରାଣୀ ରାସ ମଞ୍ଜରୀ ଦେବୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିବା ଜଣାପଡିଛି । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିବାବେଳେ ରବିବାର ତାଙ୍କର ପରଲୋକ ହୋଇଛି । ତାଙ୍କର ବିୟୋଗ ଖବର ପ୍ରଚାରିତ ପରେ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳି ଯାଇଛି ।

୧୯୨୭ ନଭେମ୍ବର ୧୯ ତାରିଖରେ ସୋନପୁର ରାଜ ପରିବାରରେ ଜନ୍ମିତ ମଞ୍ଜରୀ ଦେବୀଙ୍କ ପିତାଙ୍କ ନାମ ମହାରାଜ କୁମାର ଯଶୋବନ୍ତ ସିଂହଦେଓ ଓ ମାତା ତ୍ରୀଦେଶେଶ୍ବର ଦେବୀ । ୧୯୪୪ ମସିହାରେ ତିଗିରିଆ ରାଜା ବ୍ରଜରାଜ କ୍ଷତ୍ରିୟ ବିରବିର ଚମ୍ପତି ସିଂ ମହାପାତ୍ରଙ୍କୁ ବିବାହ କରିଥିଲେ ରାଣୀ ରାସ ମଞ୍ଜରୀ ଦେବୀ । ଏହାପରେ ତତକାଳୀନ ରାଜନେତା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଆହ୍ବାନକ୍ରମେ ରାଣୀ ରାଜନୀତିରେ ପାଦ ଥାପିଥିଲେ । ତେବେ କ୍ରମାଗତ ୩ଥର ଆଠଗଡ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ଲଢି ପରାଜିତ ହୋଇଥିବା ବେଳେ ୧୯୭୭ ମସିହାରେ ଜନତା ଦଳରୁ ନିର୍ବାଚନ ଲଢି ବିଧାୟିକା ରୂପେ ନିର୍ବାଚିତ ହୋଇଥିଲେ । ୧୯୭୭-୮୦ ପର୍ଯ୍ୟନ୍ତ ସେ ତିଗିରିଆର ବିଧାୟିକା ଥିଲେ । ଏହାପରେ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଜିଲ୍ଲା ପରିଷଦକ ଉପାଧ୍ୟକ୍ଷ ଦାୟିତ୍ବ ତୁଲାଇଥିଲେ ।